ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧୬ ତାରିଖ । ଏଥିପାଇଁ ବଡଦାଣ୍ଡ ସ୍ଥିତ ରାଜା ନଅର ସମ୍ମୁଖ ରଥଖଳାରେ ରଥନିର୍ମାଣ ଆଗେଇ ଚାଲିଛି । ରବିବାର ରଥ ନିର୍ମାଣର ୪୮ ତମ ଦିବସରେ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତ ପୋଲ ଗୟଳ ଏବଂ ଚାନ୍ଦା ଗୟଳ ମୋଡା ଯାଇ କଣ୍ଟା ବସିବା ପାଇଁ ଦଉଡ଼ିରେ ବାନ୍ଧେଣି ପଡ଼ିଥିଲା । ତିନିରଥର ମୋଟ ୩୨ ଗୋଟି ପୋଲ ଗୟଳ ଏବଂ ଚାନ୍ଦା ଗୟଳ ମଧ୍ୟରୁ ବାକିଥିବା ତିନିରଥର ଦୁଇଟି ଲେଖାଏଁ ଛନ୍ଦା ଗୟଳ ମୋଡା ଯାଇ କଣ୍ଟା ବସିବା ପାଇଁ ଦଉଡ଼ିରେ ବାନ୍ଧେଣି ପଡ଼ିଥିଲା,ଆଜି ବାକିଥିବା ଚାନ୍ଦା ଗୟଳ ଗୁଡିକରେ କଣ୍ଟା ବସିବା କାର୍ଯ୍ୟ ଶେଷ ହୋଇଛି।ଆଜି ତିନିରଥର ଯୋକା ଫିଟିଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନିରଥର ମୋଟ ୪୪ ଗୋଟି ଯୋକା ଗୁଡିକୁ ତିନି ରଥରେ ଫିଟିଙ୍ଗ ପୂର୍ବରୁ ଯୋକା ଗୁଡିକରେ ମାପ ପ୍ରକାରେ କାପ ଖୋଦେଇ କାର୍ଯ୍ୟ ଶେଷ ହୋଇ ତାଳ ଧ୍ୱଜ ଏବଂ ଦର୍ପଦଳନ ରଥରେ ୮ ଟି ଲେଖାଏଁ ଯୋକା ଫିଟିଙ୍ଗ ଶେଷ ହୋଇଛି, ନନ୍ଦିଘୋଷ ରଥର ସମସ୍ତ ଜୋକା ଗୁଡ଼ିକର କାପ ଖୋଦେଇ ଶେଷ ହୋଇଛି।(ଏହି ଯୋକା ଗୁଡ଼ିକ ରଥର ଚତୁର୍ପାର୍ଶ୍ୱ କୋଣ ମାନଙ୍କରେ ଫିଟିଙ୍ଗ କରାଯାଉଅଛି, ଏହି ଯୋକା ରଥର ଅଖ, କୁଡ଼ୁକା, ନିରାଡି ଏବଂ ଗୟଳ କୁ ବାନ୍ଧି ରଖିବା ପାଇଁ ଯୋକା ଗୁଡିକରେ ମାପ ପ୍ରକାରେ କାପ ଖୋଦେଇ ପରେ କଣ୍ଟା ବାଡ଼ିଆ ଯାଇ ସେଟିଂ କରା ଯାଉଛି ।

ରଥ ଚାଳିରେ ଆରମ୍ଭ ହୋଇଛି ତିନିରଥର ପ୍ରଥମ ଭୂଇଁ ଫ୍ରେମ୍ ପ୍ରସ୍ତୁତି କାର୍ଯ୍ୟ ଜାରୀ ରହିଛି । ଆଜି ତିନିରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ତିନିରଥର ମହାରଣା ସେବକ ଏବଂ ଭୋଇ ସେବକଙ୍କ ସହଯୋଗରେ ରଥ ଚାଳି ରେ ପ୍ରସ୍ତୁତି ଆରମ୍ଭ ହୋଇଛି ତିନିରଥର ପ୍ରଥମ ଭୂଇଁ ଫ୍ରେମ୍। ପ୍ରଥମ ଭୂଇଁ ଫ୍ରେମ ର ୬ କାଠି ପ୍ରେମ ପ୍ରସ୍ତୁତି ଶେଷ ହୋଇଛି।ଏହି ପ୍ରଥମ ଭୂଇଁ ପ୍ରେମ ୬ ଗୋଟି ଓରା, ୪ ଗୋଟି ଖାମ୍ବି, ସଂଯୋଗ ହୋଇ ଚାରି ପାର୍ଶ୍ୱରେ ୨୪ ଗୋଟି ପାଖୁଡ଼ା ଏବଂ ୧୬ ଟି ଛିଆଣ ଲାଗି, ପାଖୁଡାକୁ ଧରି ରଖିବା ପାଇଁ ୨୪ ଟି ଭୂଇଁ ଖମ୍ୱୀ ଚାରି ପାର୍ଶ୍ୱରେ ସଂଯୋଗ ହୋଇ ପ୍ରେମ ପ୍ରସ୍ତୁତି ହେବ ।ରୂପକାର ସେବକ ମାନେ ତିନିରଥର ବେଦୀ ସିଂହାସନ ମୁହାଁଟି ରେ ଚିତ୍ର ରୂପ ଖୋଦେଇ ଶେଷ କରିବା ସହ ରୁପ ଗୁଡ଼ିକର ପଲିସ୍ କାର୍ଯ୍ୟ ଶେଷ କରିବାସହ, ତିନିରଥର ୮ ଟି ଲେଖାଏଁ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରୀ ରଖିଛନ୍ତି।ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ଯୋକା କଣ୍ଟା ଶେଷ କରି ଭୂଇଁ କଣ୍ଟା, ପୋଟଳ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ଏବଂ ରଥଯାତ୍ରା ସେବା ପୂଜା ନିମନ୍ତେ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରିରଖିଛନ୍ତି।ତିନିରଥ ର ମହାରଣା ସେବକ ୭୮ ଜଣ, ଭୋଇ ସେବକ ୭୭ଜଣ, ରୂପକାର ସେବକ ୨୧ଜଣ , ଓଝା କମାର ସେବକ ୨୦ଜଣ , କରତୀ ସେବକ ୪ଜଣ ,ତୁମ୍ବ ବିନ୍ଧ କାରିଗର ୨ଜଣ, ପାହି ମହାରଣା ୨ଜଣ,ରଥଖଳା ସହାୟକ ୧ଜଣ ମୋଟ ୨୦୫ ଜଣ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ଯରେ ନିମଗ୍ନ ରହିଛନ୍ତି ।
