ବାରିପଦା / ସାହାରପଡା ; କେନ୍ଦୁଝର ଜିଲ୍ଲା,ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରୀ ବନପାଳ ଅଧୀନ ଦୁଧିଆଚୁଆ ଗ୍ରାମରେ ହାତୀପଲର ଉପଦ୍ରବ ଲାଗି ରହିଥିବା ବେଳେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ସଦର ବ୍ଲକ ମଇଦାନକେଲ ପଞ୍ଚାୟତ ଅନ୍ତର୍ଗତ କେରୀ ଗ୍ରାମର ବଡ଼ପଶି ସାହିର ନବଘନ ନାଏକ ଅନ୍ୟ କିଛି ଲୋକଙ୍କ ସହ ଗତ ରାତିରେ ହାତୀପଲକୁ ଘଉଡ଼ାଇବା ପାଇଁ ଦୁଧିଆଚୁଆ ଗ୍ରାମକୁ ଯାଇଥିଲେ। ଏହି ସମୟରେ ହାତୀ ଆକ୍ରମଣରେ ନବଘନ ଗୁରୁତର ଆହତ ହୋଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରୁ ଆହତ ନବଘନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ନବଘନଙ୍କ ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ହାତୀପଲ ଉପଦ୍ରବ ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ହାତୀପଲଠାରୁ ଦୂରେଇ ରହିବା ସହ ହାତୀକୁ ଘଉଡ଼ାଇବାକୁ ନିଜେ ଚେଷ୍ଟା ନକରିବା ପାଇଁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି।
