ଛତ୍ରପୁର,: ରମ୍ଭା ଥାନା ଅଞ୍ଚଳର ବିଦ୍ୟାଧର ପ୍ରଧାନଙ୍କ ଦୁଇ ବର୍ଷର ପୁଅ ତ୍ରିଲୋଚନ ପ୍ରଧାନ ଘରେ ଖେଳିଥିବା ବେଳେ ଅସାବଧାନତା ଯୋଗୁଁ ଏକ ଆଲୁମିନିୟମ ହାଣ୍ଡିଟି ତାର ମୁଣ୍ଡରେ ପଶି ଯାଇଥିଲା । ଏହାକୁ ଦେଖିବା ପରେ ତ୍ରିଲୋଚନଙ୍କ ପରିବାର ଲୋକେ ମୁଣ୍ଡରୁ ହାଣ୍ଡିକୁ ବାହାର କରିବାକୁ ଦୀର୍ଘ ସମୟ ଧରି ଚେଷ୍ଟା କରିବା ପରେ କିଛି ସୁଫଳ ମିଳିନଥିଲା । ବିଳମ୍ବିତ ରାତି ଯୋଗୁଁ ମେଡିକାଲ ବନ୍ଦ ହୋଇଥିବା ଯୋଗୁଁ ରମ୍ଭାର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟକୁ ତ୍ରିଲୋଚନକୁ ସେଭଳି ଅବସ୍ଥାରେ ତାଙ୍କ ପରିବାର ଲୋକେ ନେଇଥିଲେ । ତ୍ରିଲୋଚନଙ୍କ ମୁଣ୍ଡ ଭିତରେ ଆଲୁମିନିୟମ ହାଣ୍ଡିଟି ରହି ଯାଇଥିବା ଯୋଗୁଁ ତାକୁ ବାହାର କରିବା କଷ୍ଟସାଧ୍ୟ ଥିଲା । ତଥାପି ମଧ୍ୟ ରମ୍ଭାର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଏକ କଟର୍ ଯୋଗେ ଧିରେ ଧିରେ ଆଲୁମିନିୟମ ହାଣ୍ଡିଟିକୁ କାଟିଥିଲେ । କିଛି ସମୟ ମଧ୍ୟରେ ହାଣ୍ଡିଟି ତ୍ରିଲୋଚନଙ୍କ ମୁଣ୍ଡରୁ ବାହାରି ଯାଇଥିଲା । ତେବେ ତ୍ରିଲୋଚନଙ୍କ ମୁଣ୍ଡରେ ଦୀର୍ଘ ସମୟ ଧରି ହାଣ୍ଡିଟି ଫସି ରହିଥିବା ବେଳେ ତାହାକୁ କଟର୍ ଯୋଗେ କାଟିବା ବି ବିପଦଜନକ ଥିଲା । ଅତ୍ୟନ୍ତ ସାବଧାନତାର ସହ ରମ୍ଭା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ତ୍ରିଲୋଚନଙ୍କ ମୁଣ୍ଡରୁ ହାଣ୍ଡିଟି କାଟି ବାହାର କରିଥିଲେ । ରମ୍ଭା ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଏଭଳି କାର୍ଯ୍ୟ ଯୋଗୁଁ ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ତ୍ରିଲୋଚନଙ୍କ ପରିବାର ଓ ତାଙ୍କ ଗାଁ ଲୋକେ ।
