ହିନ୍ଦୋଳ: ମୃତ୍ୟୁ କେତେବେଳେ ଆସେ କେହି କହିପାରେନା। ଏଇ ଯେମିତି ଜଣେ ବ୍ୟକ୍ତି ନିଜର ଟାଟା ଏସି ଗାଡ଼ି ପାଖରେ ଠିଆ ହୋଇଥିଲେ। କିନ୍ତୁ ହଠାତ୍ ଏକ ଆଇଚର୍ ଗାଡ଼ି ଆସି ତାଙ୍କୁ ଧକ୍କାଦେଲା । ଫଳରେ ସେଇଠି ତାଙ୍କର ପ୍ରାଣବାୟୁ ଉଡିଗଲା। ସୂଚନା ଅନୁଯାୟୀ ହିନ୍ଦୋଳ ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାର ସାତମାଇଲ୍ ନିକଟରେ ଗୋଟିଏ ଟାଟା ଏସି ଗାଡ଼ି ଠିଆ ହୋଇଥିବାବେଳେ ବରଗଡରୁ ପୁରୀ ଅଭିମୁଖେ ଯାଉଥିବା ଏକ ଧାନ ବୋଝେଇ ଆଇଚର୍ ଗାଡ଼ି ଭାରସାମ୍ୟ ହରାଇ ଟାଟା ଏସି ଗାଡ଼ିକୁ ଧକ୍କାଦେବା ସହ ଓଲଟି ପଡିଥିଲା। ଫଳରେ ଟାଟା ଏସି ନିକଟରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ଚାପିହୋଇ ମୃତ୍ୟୁବରଣ କରିଥିଲେ। ଘଟଣାସ୍ଥଳରେ ହିନ୍ଦୋଳ ଥାନା ଓ ସାତମାଇଲ୍ ଫାଣ୍ଡି ପୁଲିସ୍ ପହଞ୍ଚି ମୃତଦେହକୁ ଜେସିବି ମେସିନ୍ ଦ୍ୱାରା ବାହାର କରିବା ସହ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ମେଡିକାଲ୍ ପଠାଇଥିଲା। ମୃତ ବ୍ୟକ୍ତି ଜଣଙ୍କ ଅନୁଗୁଳ ଜିଲ୍ଲା ବନ୍ତଳା ତଳସରା ଅଞ୍ଚଳର ଗନ୍ଧର୍ବ ବେହେରା (୫୮) ବୋଲି ଜଣାପଡ଼ିଛି। ନିକଟରେ ରହିଥିବା କେଶବ ଆଶ୍ରମକୁ ପାଦୁକା ସ୍ନାନ କାର୍ଯ୍ୟକ୍ରମରେ ଭକ୍ତଙ୍କୁ ନେଇ ଆସିଥିବା ଚାଳକ ଏବଂ ମାଲିକ ବୋଲି ଜଣାପଡ଼ିଛି। ଆଇଚର୍ ଗାଡ଼ି ଚାଳକଙ୍କୁ ସାତମାଇଲ୍ ଫାଣ୍ଡି ପୁଲିସ୍ ଅଟକ ରଖି ତଦନ୍ତ ଜାରି ରଖିଛି।
