ବାରିପଦା ; ଜାତୀୟ କ୍ରୀଡ଼ା ଦିବସ-୨୦୨୬ ଅବସରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ମାଇଁ ଭାରତ ସହଯୋଗରେ ଖେଲୋ ଇଣ୍ଡିଆ ସମ୍ବାଦ ଖେଲ କି ବାତ ପ୍ରଧାନମନ୍ତ୍ରୀ କେ ସାଥ କାର୍ଯ୍ୟକ୍ରମ ମହାରାଜା ଶ୍ରୀରାମ ଚନ୍ଦ୍ରଭଞ୍ଜ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଯୋଗଦେଇଥିଲେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭର୍ଚୁଆଲ ଉପସ୍ଥିତି ରେ କେନ୍ଦ୍ର ଯୁବ କାର୍ଯ୍ୟ ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ସ୍ୱାଗତ ଅଭିଭାଷଣ ଏବଂ ଜାତୀୟ କ୍ରୀଡ଼ା ଦିବସ ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଯୁବ ସମ୍ବାଦରେ ଯୁବପିଢ଼ିଙ୍କ ଚିନ୍ତାଧାରା, ମତାମତ ଓ ଆକାଂକ୍ଷାକୁ ନେଇ ଖୋଲା ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ କ୍ରୀଡ଼ା ବ୍ୟକ୍ତିତ୍ୱଗଣ ଯଥା ସାଇ କଟକର ରଶ୍ମିତା ସାହୁ, ସୁରେଶ ସାହୁ, ଦିବ୍ୟରଞ୍ଜନ ଦାସ ଓ ମୟୂରଭଞ୍ଜର ସୋସିଆଲ ମିଡ଼ିଆ ପ୍ରଭାବକାରୀ ବ୍ୟକ୍ତି ତ୍ରିଲୋଚନ ବିନ୍ଧାଣୀ ପ୍ରମୁଖଙ୍କୁ ସମ୍ମାନିତ କରାଯିବା ସହ, ବିକଶିତ ଭାରତ ନଶାମୁକ୍ତ ଶପଥ ଗ୍ରହଣ କରାଯାଇଥିଲା । ସ୍ୱେଚ୍ଛାସେବୀ ସାଇ ରଞ୍ଜନ ଲେଙ୍କା ମଞ୍ଚ ପରିଚାଳନା କରିଥିବା ବେଳେ ମାଇଁ ଭାରତ ମୟୂରଭଞ୍ଜର ଉପ ନିର୍ଦ୍ଦେଶକ ସାଥୀ ରାୟ, ଏନଆଇସି ମୟୂରଭଞ୍ଜର ବୈଜ୍ଞାନିକ ଅଜୟ କୁମାର ମହାପାତ୍ର, ଏନ.ଏସ.ଏସ. ବ୍ୟୁରୋର ସଂଯୋଜକ ଡ଼. ପ୍ରିୟ ରଞ୍ଜନ ଦେବତା, ପି.ଜି. ପୁରୁଷ ୟୁନିଟର କାର୍ଯ୍ୟକ୍ରମ ଅଧିକାରୀ ଡ଼. ଯତୀନ୍ଦ୍ରନାଥ ବେଶ୍ରା, ଜିଲ୍ଲା ନୋଡାଲ ଅଧିକାରୀ ଡ. ଅନାମ ଚରଣ ରାଉଳ, ଏନ୍.ଏସ.ଏସ. ବ୍ୟୁରୋର କର୍ମଚାରୀ ଅଜୟ କୁମାର ବଳ, ସୁସ୍ମିତା ପାତ୍ର ଓ ସୁନେଲିକା ପ୍ରହରାଜ ପ୍ରମୁଖ ପରିଚାଳନା କରିଥିଲେ ।
