ବାରିପଦା /ସାହାରପଡା ; ଜମି ନାମାନ୍ତରଣ ମାମଲାର ଫାଇଲ ପ୍ରକ୍ରିୟାକରଣ ସହ ରେକର୍ଡ ଅଫ୍ ରାଇଟ୍ସ (ଆରଓଆ)ର୍ ପଟ୍ଟା ଜାରି କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ପାଟଣା ତହସିଲ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ (ଜେଆରଏ) ବି.ଏଚ୍. ଉମାଶଙ୍କର ଓଡ଼ିଶା ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ଲାଞ୍ଚ ବାବଦ ୬ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ତାଙ୍କ ସହ ସମ୍ପର୍କିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ସୂଚନା ଅନୁଯାୟୀ, ଅଭିଯୋଗକାରୀ ନିଜ ଓ ଅନ୍ୟ ସହଅଂଶୀଦାରଙ୍କ ନାମରେ ଜମି ନାମାନ୍ତରଣ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିୟମ ଅନୁଯାୟୀ ୩ ଜୁନ୍ ୨୦୨୬ରେ ଅନଲାଇନ୍ରେ ଆବେଦନ କରିଥିଲେ। ପରେ ଆବେଦନର ସ୍ଥିତି ଜାଣିବା ପାଇଁ ସେ ତହସିଲ କାର୍ଯ୍ୟାଳୟରେ ଯୋଗାଯୋଗ କରିଥିଲେ।

ଅଭିଯୋଗ ଅନୁସାରେ, ଏହି ସମୟରେ ଜେଆରଏ ବି.ଏଚ୍. ଉମାଶଙ୍କର ଜମି ନାମାନ୍ତରଣ ମାମଲାର ଫାଇଲ ପ୍ରକ୍ରିୟାକରଣ କରିବା ସହ ଅଭିଯୋଗକାରୀ ଓ ଅନ୍ୟ ସହଅଂଶୀଦାରଙ୍କ ନାମରେ ଆରଓଆର୍ ପଟ୍ଟା ଜାରି କରାଇଦେବା ପାଇଁ ଲାଞ୍ଚ ଦାବି କରିଥିଲେ। ଏହି ଲାଞ୍ଚ ଦାବିରେ ଅସନ୍ତୁଷ୍ଟ ହୋଇ ଅଭିଯୋଗକାରୀ ଓଡ଼ିଶା ଭିଜିଲାନ୍ସକୁ ଜଣାଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଜାଲ ବିଛାଯାଇଥିଲା। ଶୁକ୍ରବାର ପାଟଣା ତହସିଲ କାର୍ଯ୍ୟାଳୟର ଗ୍ୟାରେଜ୍ ନିକଟରେ ଅଭିଯୋଗକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଜେଆରଏ ଉମାଶଙ୍କରଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୬ ହଜାର ଟଙ୍କା ଲାଞ୍ଚ ଅର୍ଥ ଜବତ କରାଯାଇଛି। ଚଢ଼ାଉରେ କେନ୍ଦୁଝର ଭିଜିଲାନ୍ସ ଡିଏସ୍ପି ସୁଧାଂଶୁ ଶେଖର ପୂଜାରୀ, ବାଲେଶ୍ୱର ଭିଜିଲାନ୍ସ ଇନ୍ସପେକ୍ଟର ଚିତ୍ରଗୁପ୍ତ ଚାମ୍ପିଆ ଓ କେନ୍ଦୁଝର ଭିଜିଲାନ୍ସ ଇନ୍ସପେକ୍ଟର ଉଲିପି ବେହେରାଙ୍କ ସମେତ ଭିଜିଲାନ୍ସ ବିଭାଗର ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଲାଞ୍ଚ ଧରାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ ସମ୍ପର୍କିତ କାଗଜପତ୍ର ଓ ଦସ୍ତାବିଜ୍ ଯାଞ୍ଚ କରାଯାଇଥିବା ସହ ଆବଶ୍ୟକ କାଗଜପତ୍ର ଜବତ କରାଯାଇଛି। ଏଥିସହ ଅଭିଯୁକ୍ତ ଜେଆରଏଙ୍କ ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କିତ ତଦନ୍ତ ପାଇଁ ତାଙ୍କ ସହ ସମ୍ପର୍କିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୭/୨୦୨୬ମୂଳେ ଏକ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଭିଜିଲାନ୍ସ ପକ୍ଷରୁ ଜାରି ରହିଛି।
