ବାରିପଦା /କରଞ୍ଜିଆ; କରଞ୍ଜିଆ ବ୍ଲକ,ଚଢେଇଭୋଳ ଅଞ୍ଚଳର ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବାରେ ଅନ୍ୟ ଜିଲ୍ଲାରୁ ଚୋରାରେ ବିଦେଶୀ ମଦ ଆଣି ବିକ୍ରି କରାଯାଉଥିବା ନେଇ ଖବର ପାଇ କରଞ୍ଜିଆ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅବକାରୀ ବିଭାଗର ଅଧିକାରୀଙ୍କ ସହ ମଦ ବ୍ୟବସାୟୀମାନେ ଦୁର୍ବ୍ୟବହାର କରିବା ସହ ଓଆଇସିଙ୍କ କଲର ଧରି ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ କରଞ୍ଜିଆ ଅବକାରୀ ଥାନାର ଓଆଇସି ଏ ସମ୍ପର୍କରେ କରଞ୍ଜିଆ ଥାନା ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ କରଞ୍ଜିଆ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚଢେଇଭୋଳ ଗ୍ରାମର ରାଇବୁ ବେହେରା (୫୨), ତାଙ୍କ ପୁଅ ନିକୁଞ୍ଜ ବେହେରା (୨୦), ଘାଘି ଗ୍ରାମର ଭୈରବ ନାଏକ (୨୯) ଏବଂ କୃଷ୍ଣପୁର ଗ୍ରାମର ବାବୁଲା ନାଏକ (୪୦)। ସମସ୍ତଙ୍କୁ କରଞ୍ଜିଆ ଥାନା ପୁଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି।
ଏ ନେଇ କରଞ୍ଜିଆ ଥାନାରେ କେସ୍ ନମ୍ବର ୩୧୮, ତାରିଖ ୨୧/୦୮/୨୦୨୬ ମୂଳେ ବିଏନଏସ୍ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଘଟଣାରେ ଆଉ କେହି ସମ୍ପୃକ୍ତ ଥିଲେ କି ନାହିଁ, ସେ ନେଇ ପୁଲିସ ତଦନ୍ତ ଜାରି ରଖିଥିବାରୁ ଆଗକୁ ଗିରଫ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।
