ବାରିପଦା ; ମୟୂରଭଞ୍ଜ ଜିଲ୍ଲା, ମୋରଡା ଥାନା ଅଞ୍ଚଳରେ ପୁଣିଥରେ ବନ୍ଧୁକ ମୁନରେ ଲୁଟ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନୂଆଝାଳିଆ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ପୋଖରୀ ନିକଟରେ ଜଣେ ଗହଣା ବ୍ୟବସାୟୀଙ୍କୁ ଭୟଭୀତ କରି ଲୁଟ କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, କୋଷ୍ଠା ଅଞ୍ଚଳର ଗହଣା ବ୍ୟବସାୟୀ ତପନ ପରିଡ଼ା ସାନମୁଣ୍ଡାବଣୀ ହାଟରେ ବ୍ୟବସାୟ ସାରି ନିଜ କାରରେ ଘରକୁ ଫେରୁଥିଲେ। ଏହି ସମୟରେ ନୂଆଗାଁ ପୋଖରୀ ନିକଟରେ ଦୁଇଟି ବାଇକରେ ଚାରିଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିବାର ଅଭିଯୋଗ ହୋଇଛି।
ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ତପନ ପରିଡ଼ାଙ୍କୁ ଭୟଭୀତ କରିବା ସହ ତାଙ୍କ ପାଖରେ ଥିବା ଗହଣା ଭର୍ତ୍ତି ବ୍ୟାଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାର ସେ ଅଭିଯୋଗ କରିଛନ୍ତି। ତପନ ପରିଡ଼ାଙ୍କ କହିବା ଅନୁସାରେ, ବ୍ୟାଗରେ ପ୍ରାୟ ୫ କିଲୋଗ୍ରାମ ରୂପା ଓ ୬୦ ଗ୍ରାମ ସୁନା ରହିଥିଲା। ଏହା ସହ ବ୍ୟାଗ ଭିତରେ ତାଙ୍କ ମୋବାଇଲ ଫୋନ ମଧ୍ୟ ଥିବାର ସେ କହିଛନ୍ତି। ଲୁଟର ସମ୍ପୂର୍ଣ୍ଣ ମୂଲ୍ୟ କେତେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ
ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ରୁ ଅଧିକ ହେବ ବୋଲି କୁହାଯାଉଛି । ଏହି ଘଟଣାକୁ ନେଇ ବ୍ୟବସାୟୀ ଠାରୁ ଆରମ୍ଭ କରି ସାଧାରଣ ରେ ଆତଙ୍କ ସୃଷ୍ଟି ହୋଇଛି। ଲୁଟେରା ଙ୍କ ଦୁଇଟି ବାଇକ ମଧ୍ୟ ରୁ ଗୋଟିଏ ବାଇକ ଷ୍ଟାଟ ନ ହେବାରୁ ଘଟଣାସ୍ଥଳରେ ଗୋଟିଏ ବାଇକ କୁ ଛାଡି ଦୁର୍ବୃତ୍ତ ମାନେ ପଳାଇଥିଲେ । ମୋରଡା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରି, ଲୁଟ ଓ ଡକାୟତି ଭଳି ଘଟଣା ନେଇ ବାରମ୍ବାର ଅଭିଯୋଗ ଆସୁଛି। ଏଭଳି ଘଟଣାର ପୁନରାବୃତ୍ତି ହେଉଥିବାରୁ ଅଞ୍ଚଳର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି।
