ପୁରୀ: ଶ୍ରାବଣ ଶୁକ୍ଳ ଦଶମୀ ତିଥିଠାରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ମଠବାଡ଼ି ତଥା ପୁରପଲ୍ଲୀରେ ଆରମ୍ଭ ହେବ ବର୍ଷାକାଳୀନ ରାସ ତଥା ପବିତ୍ର ଝୁଲଣ ଯାତ୍ରା। ଝୁଲଣଯାତ୍ରା ପାଇଁ ସମସ୍ତ ମଠ ଓ ମନ୍ଦିରରେ ପ୍ରସ୍ତୁତି ଜାରି ରହିଛି। ୭ଦିନ ବ୍ୟାପୀ ଚାଲିବ ଏହି ଯାତ୍ରା।ଝୁଲଣ କୁଞ୍ଜରେ ଝୁଲିବେ ଶ୍ରୀଲକ୍ଷ୍ମୀ, ସରସ୍ୱତୀଓ ମଦନମୋହନ। ଶ୍ରୀକ୍ଷେତ୍ରରେ ବିଭିନ୍ନ ମଠବାଡ଼ିରେ ମଧ୍ୟ ଝୁଲଣ ଯାତ ଅନୁଷ୍ଠିତ ହେବ। ଝୁଲଣ କୁଞ୍ଜରେ ବିଜେ ହେବେ ଶ୍ରୀରାଧାକୃଷ୍ଣ। ଶ୍ରୀମନ୍ଦିର ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠଗୁଡ଼ିକରେ ବର୍ତ୍ତମାନ ଝୁଲଣ କୁଞ୍ଜ ନିର୍ମାଣ ଜାରି ରହିଛି।

ଝୁଲଣ ଯାତ ପାଇଁ ଦୋଳି ପ୍ରସ୍ତୁତ କରୁଛନ୍ତି କାରିଗର ।ଯାତ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ରନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ମଧ୍ୟାହ୍ନଧୂପ ପରେ ତିନିବାଡ଼ରେ ସର୍ବାଙ୍ଗ ଲାଗି ଓ ବେଶ ହେବ। ମହାଜନମାନେ ସିଂହାସନରୁ ଶ୍ରୀଦେବୀ, ଭୂଦେବୀଙ୍କୁ ଦକ୍ଷିଣଘରୁ ମଦନମୋହନଙ୍କୁ ଆଣି ଖଟ ଶେଜରେ ବିଜେ କରାଇବେ। ପୂଜାପଣ୍ଡା ସାମନ୍ତ ମାଣ୍ଡୁଅଭୋଗ ଅର୍ପଣ କରିବେ, ତିନିବାଡ଼ରେ ଆଳତିହେବ। ଏହାପରେ ତିନି ମୂର୍ତ୍ତିଙ୍କୁ ଝୁଲଣମଣ୍ଡପ ଦୋଳିକୁ ଅଣାଯିବ। ବିଡ଼ିଆ ପାନ ମଣୋହି କରାଯିବ। ମନ୍ଦିରରେ ସନ୍ଧ୍ୟାଧୂପ ସରିଲେ ଝୁଲଣ ମଣ୍ଡପଠାରେ ପଞ୍ଚ ଉପଚାରରେପୂଜା ହେବ। ମନ୍ଦିର ଭିତରେ ଚନ୍ଦନ ଲାଗିସରିବା ପରେ ଝୁଲଣ କୁଞ୍ଜରେ ବିରାଜିତ ମଦନମୋହନକୁ ଦକ୍ଷିଣଘର ଠାକୁରାଣୀକୁ ଗର୍ଭଗୃହକୁ ବିଜେ କରାଇବେ।ତେଣୁ ଝୁଲଣ ଯାତ୍ରାକୁ ଦୃଷ୍ଟିରେ ରଖି ମୁକ୍ତିମଣ୍ଡପ ଉପରେ ଓ ସମ୍ମୁଖ ପାର୍ଶ୍ୱରେ ସାଜସଜ୍ଜା ଚାଲିଛି।

ସେହିଭଳି ଶ୍ରୀକ୍ଷେତ୍ରର ମଠବାଡ଼ିରେ ମଧ୍ୟ ଝୁଲଣ ଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି।ଶ୍ରୀଜଗନ୍ନାଥ ବଲ୍ଲଭ ମଠ, ରାଧାବଲ୍ଲଭମଠ, ସିଦ୍ଧବକୁଳ ମଠ, ଶ୍ୟାମକୁଞ୍ଜ ମଠ, ମାତା ମଠ ,ସମସ୍ତ ପ୍ରକାର ସାଜସଜ୍ଜା ସହ ଝୁଲଣ କୁଞ୍ଜ ପ୍ରସ୍ତୁତ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । କୁଞ୍ଜରେ କଣ୍ଢେଇ, ବିଭିନ୍ନ ଜରି ଜମ୍ବୁରା ଫୁଲ ,ଲେସ,ଶୁଆ, ସାରି,ବଣି, ପାରା, ଗୁଣ୍ଡୁଚି ମୂଷା, ମାଙ୍କଡ଼ ଆଦି ମୂର୍ତ୍ତି ଖଞ୍ଜା ଯାଇଛି। ଝୁଲଣରେ ସୋଲ ଓ ଜରିସାଜସଜ୍ଜା ମଧ୍ଯ ହୋଇଛି । ପୁରୀରେ ୪୦ରୁ ଉର୍ଦ୍ଧ୍ୱ ମଠ ବାଡ଼ିରେ ଝୁଲଣ ଯାତ୍ରା ପାଳିତ ହେବ ସେଥିପାଇଁ ଝୁଲଣ କୁଞ୍ଜ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
