ବାରିପଦା/ କରଞ୍ଜିଆ; କରଞ୍ଜିଆ ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ବର୍ତ୍ତମାନ ବନଖଣ୍ଡର ବିଭିନ୍ନ ସ୍ଥାନରେ ପ୍ରାୟ ୨୫ଟି ହାତୀ ରହିଥିବା ବେଳେ ସୋମବାର ରାତି ଏକ ଗୋଠଛଡ଼ା ଦନ୍ତା ତିନିଟି ଗାଁରେ ପଶି ୭ଟି ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛି।
ସୂଚନା ଅନୁଯାୟୀ, ଦନ୍ତାଟି ଦରି ସେକ୍ସନ ଅଧୀନ ଦେଓଗାଁ ଏବଂ ଟଙ୍ଗାବିଲା ସେକ୍ସନର ଟାଇଁସିରା ବିଟ୍ ଅଧୀନ ଗିଧିବାସ ଗାଁରେ ପଶି ତାଣ୍ଡବ ରଚିଥିଲା। ଦେଓଗାଁର ହରିହର ମହାକୁଡ଼ ଓ ରଘୁସାହିର ରାଇବନ ତିରିଆଙ୍କ ଘର ଭାଙ୍ଗିବା ପରେ ଦନ୍ତାଟି ଗିଧିବାସ ଗାଁରେ ପଶି ସମବାରୀ ତାମ୍ପିଆଙ୍କ ଘର ଭାଙ୍ଗିଥିଲା।

ସେହିପରି ବାକରତଳା ଗ୍ରାମର ନୃପତି ମହାନ୍ତ, ଦମୟନ୍ତୀ ମହାନ୍ତ, ଚନ୍ଦ୍ର ମହାନ୍ତ ଓ ଉପେନ୍ଦ୍ର ଲୋହରଙ୍କ ଘର ମଧ୍ୟ ହାତୀଟି ଭାଙ୍ଗି ଦେଇଥିବା ଜଣାପଡ଼ିଛି।
ବର୍ଷା ଋତୁରେ ରାତି ସମୟରେ ଲୋକେ ଘରେ ଶୋଇଥିବା ବେଳେ ହାତୀ ଗାଁ ମଧ୍ୟକୁ ପଶି ଘରଦ୍ୱାର ଭାଙ୍ଗିବା ସହ ଖାଦ୍ୟଶସ୍ୟ ନଷ୍ଟ କରୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ବଢ଼ିଛି। ହାତୀମାନେ ଘରେ ରହିଥିବା ଭାତ, ପଖାଳ ଓ ଅନ୍ୟାନ୍ୟ ଖାଦ୍ୟର ବାସ୍ନା ପାଇ ଘର ଭାଙ୍ଗିବା ସହ ଧାନ, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ଖାଇବା ଓ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଏପରିକି ହାଣ୍ଡିଆର ବାସ୍ନା ପାଇ ହାତୀ ଘର ଭାଙ୍ଗି ଦେଉଥିବା ମଧ୍ୟ ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପକ୍ଷରେ, ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯିବା ସମୟରେ ହାତୀ ଚଲାପଥରେ ପଡ଼ୁଥିବା ଧାନକ୍ଷେତରେ ପଶି ହାତୀପଲ ଫସଲ ଦଳିଚକଟି ନଷ୍ଟ କରୁଛନ୍ତି।

ହାତୀଙ୍କ ଗତିବିଧି ଦେଖିବାକୁ ଲୋକେ ପଛରେ ଗୋଡ଼ାଇବା ଯୋଗୁଁ ଅନେକ ସମୟରେ ହାତୀ ଉତ୍ତ୍ୟକ୍ତ ହୋଇ ଆକ୍ରମଣାତ୍ମକ ହେଉଥିବା ବନ ବିଭାଗ କର୍ମଚାରୀମାନେ କହିଛନ୍ତି। ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିବା ସହ ଲୋକଙ୍କୁ ହାତୀଙ୍କ ନିକଟକୁ ନଯିବା ଓ ସେମାନଙ୍କୁ ଗୋଡ଼ାଇ ଉତ୍ତ୍ୟକ୍ତ ନକରିବା ପାଇଁ ସଚେତନ କରୁଛି। ତଥାପି ଲୋକେ ହାତୀଙ୍କ ପଛରେ ଗୋଡ଼ାଇବାରୁ ପରିସ୍ଥିତି ଅଧିକ ବିପଜ୍ଜନକ ହେଉଥିବା ବନ କର୍ମଚାରୀମାନେ ସୂଚନା ଦେଇଛନ୍ତି। ହାତୀ ଉପଦ୍ରବରୁ ଗ୍ରାମବାସୀଙ୍କ ସୁରକ୍ଷା ସହ କ୍ଷୟକ୍ଷତିର ତୁରନ୍ତ ଆକଳନ କରି କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି।
