ତେହେରାନ: ମଧ୍ୟପ୍ରାଚ୍ୟ ସଂଘର୍ଷ ଚାଲିଥିବା ବେଳେ ଇରାନୀ ସେନା ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧମକ ଦେଇଛି। ଯଦି ଆମେରିକା ପାରସ୍ୟ ଉପସାଗରର କୌଣସି ସ୍ଥଳ ଅଭିଯାନ ଏବଂ କୌଣସି ଦ୍ୱୀପପୁଞ୍ଜ ଦଖଲ କରିବାକୁ ଚେଷ୍ଟା କରେ ତାହେଲେ ଏହାର ଭୟାବହ ପରିଣାମ ଆମେରିକାକୁ ଭୋଗିବାକୁ ପଡ଼ିବ। ଏକ କଠୋର ଚେତାବନୀ ଜାରି କରି ଇରାନୀ ସେନା କହିଛି ଯେ ‘ଆମେରିକୀୟ ସୈନ୍ୟମାନେ ପାରସ୍ୟ ଉପସାଗରର ସାର୍କ ପାଇଁ ଭଲ ଖାଦ୍ୟ ହେବେ।’ ଇରାନର ଖାତମ ଅଲ-ଆନବିୟା କେନ୍ଦ୍ରୀୟ ମୁଖ୍ୟାଳୟର ବ୍ରିଗେଡିୟର ଜେନେରାଲ ଏବଂ ମୁଖପାତ୍ର ଇବ୍ରାହିମ ଜୋଲଫାକାରି ଏକ ଭିଡିଓ ବିବୃତିରେ ଏହି ଆମେରିକାକୁ ଏହି ଚେତାବନୀ ଦେଇଛନ୍ତି। ଜୋଲଫାକାରି ତାଙ୍କ ବିବୃତିରେ କହିଛନ୍ତି, ଏପ୍ଷ୍ଟାଇନ ମାମଲାରେ ତାଙ୍କର ପୃଷ୍ଠଭୂମି ଯୋଗୁଁ ଆମେରିକାର ରାଷ୍ଟ୍ରପତି ଆତଙ୍କବାଦୀ ସଂଗଠନ ମୋସାଦର ଚାପରେ ଅଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। ଇରାନ ବିରୁଦ୍ଧରେ ଯୁଦ୍ଧ ଏବଂ ଆକ୍ରମଣରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ ଏକ ବନ୍ଧକ ପାଲଟିଛନ୍ତି। ଜୋଲଫାକାରି କହିଛନ୍ତି ଯେ ଯଦି କୌଣସି ସ୍ଥଳ ଆକ୍ରମଣ କିମ୍ବା ଦଖଲ ଆରମ୍ଭ ହୁଏ, ତେବେ ଇରାନର ସେନା ଆମେରିକୀୟ ସେନାର ବିନାଶ ପାଇଁ ମୁହୂର୍ତ୍ତ ଗଣନା କରୁଛି ବୋଲି ଧରିନେବାକୁ ହେବ। ପେଣ୍ଟାଗନ ସପ୍ତାହ ଧରି ସ୍ଥଳ ଅଭିଯାନ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ତଥା ଖାର୍ଗ ଦ୍ୱୀପ ଏବଂ ହରମୁଜ ପ୍ରଣାଳୀ ନିକଟରେ ଥିବା ସ୍ଥାନଗୁଡ଼ିକରେ ଚଢ଼ାଉ ପାଇଁ ପ୍ରସ୍ତୁତ ହେଉଥିବା ରିପୋର୍ଟ ମିଳିବା ପରେ ଇରାନୀ ସୈନଙ୍କ ପକ୍ଷରୁ ଏପରି କଡ଼ା ଚେତାବନୀ ଆସିଛି।
