ନୂଆଦିଲ୍ଲୀ: ଇରାନର ଗୁରୁତ୍ୱପୂର୍ଣ୍ଣ ରଣନୈତିକ ବନ୍ଦର ‘ବନ୍ଦର-ଇ-ଖମିର’ ଉପରେ ଆମେରିକା ଓ ଇସ୍ରାଏଲ ମିଳିତ ଆକ୍ରମଣ କରି ଏହାକୁ ଛାରଖାର କରିଦେଇଛନ୍ତି। ଏହି ନିର୍ଦ୍ଦିଷ୍ଟ ସାମରିକ ଆକ୍ରମଣ ବର୍ତ୍ତମାନର ସଂଘର୍ଷରେ ଏକ ବିପଜ୍ଜନକ ମୋଡ଼ ଆଣିଛି, ଯାହା ସମଗ୍ର ବିଶ୍ୱ ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେବ ବୋଲି କୁହାଯାଉଛି। ଏହି ପରିବହନ ଭିତ୍ତିଭୂମିକୁ ଧ୍ୱସ୍ତ କରି ମିଳିତ ବାହିନୀ କେବଳ ସାମରିକ ଶକ୍ତି ପ୍ରଦର୍ଶନ କରିନାହାଁନ୍ତି, ବରଂ ଇରାନର ରପ୍ତାନି ଓ ଯୋଗାଣ କ୍ଷମତାକୁ ସମ୍ପୂର୍ଣ୍ଣ ରୂପେ ପଙ୍ଗୁ କରିବାର ଏକ ରଣନୈତିକ ସଙ୍କେତ ଦେଇଛନ୍ତି। ରବିବାର ଭୋରସମୟରେ ହୋଇଥିବା ଏହି ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ଆକ୍ରମଣରେ କେତେକ ନିର୍ଦ୍ଦିଷ୍ଟ ଜେଟିକୁ ଲକ୍ଷ୍ୟ କରାଯାଇଥିଲା, ଯାହା କାର୍ଗୋ ପରିବହନ ପାଇଁ ବ୍ୟବହୃତ ହେଉଥିଲା। ଆକ୍ରମଣରେ ଅନେକ ମାଲବାହୀ ଗାଡ଼ି ଭସ୍ମୀଭୂତ ହୋଇଯାଇଛି ଏବଂ ବନ୍ଦରରେ ଲଙ୍ଗର ପକାଇଥିବା ଦୁଇଟି ବଡ଼ ଜାହାଜ ମଧ୍ୟ ସାଂଘାତିକ କ୍ଷତିଗ୍ରସ୍ତ ହୋଇଛି। ଆମେରିକା ପକ୍ଷରୁ ଏହି ବନ୍ଦରକୁ ଅସ୍ତ୍ରଶସ୍ତ୍ର ଚାଲାଣର କେନ୍ଦ୍ର ବୋଲି କୁହାଯାଇଥିବା ବେଳେ ତେହେରାନ ଏହାକୁ ‘ବେସାମରିକ ଅଞ୍ଚଳ ଉପରେ ଏକ ଅମାନୁଷିକ ଆକ୍ରମଣ’ବୋଲି ଅଭିହିତ କରିଛି। ଆଜି ଦକ୍ଷିଣାଞ୍ଚଳରେ ବନ୍ଦର ଉପରେ ଆକ୍ରମଣ ଚାଲିଥିବା ବେଳେ ଇରାନର ରାଜଧାନୀ ତେହେରାନ ମଧ୍ୟ ଭୟଙ୍କର ବିସ୍ଫୋରଣର ଶବ୍ଦରେ ଥରି ଉଠିଥିଲା। ସହରର ଉତ୍ତର ଏବଂ ଉତ୍ତର- ପୂର୍ବ ଜିଲ୍ଲାଗୁଡ଼ିକରେ ଅତିକମରେ ୬ଟି ଶକ୍ତିଶାଳୀ ବିସ୍ଫୋରଣ ଶୁଣାଯାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ସାଦତ୍ ଆବାଦ ଅଞ୍ଚଳରେ ବ୍ୟାପକ ଧ୍ୱଂସଲୀଳା ଦେଖିବାକୁ ମିଳିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଦାବି କରିଛି ଯେ ସେମାନେ ଇରାନର କମାଣ୍ଡ ସେବଜାରର ମାନଚିତ୍ର ବଦଳିଯାଇପାରେ। ସୂଚନାଯୋଗ୍ୟ, ଇରାନ ଯୁଦ୍ଧ ବର୍ତ୍ତମାନ ଏକ ବହୁପାକ୍ଷିକ ରୂପ ନେଇଛି। ୟେମେନର ହୁତି ବିଦ୍ରୋହୀମାନେ ଇରାନ ସମର୍ଥନରେ ଆଜି ପୁଣି ଦକ୍ଷିଣ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ଲେବାନନ ପଟୁ ହେଜବୋଲ୍ଲା ମଧ୍ୟ ରକେଟ ଓ ଡ୍ରୋନ୍ ଆକ୍ରମଣ ଜାରି ରଖିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣକୁ ମାସକ ବିତି ଯାଇଥିବାବେଳେ ମୃତ୍ୟୁସଂଖ୍ୟା ୨୦୦୦ ଟପିଛି । ଇରାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଫେବ୍ରୁଆରି ୨୮ରୁ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନରେ ୨୧୬ ଜଣ ଶିଶୁଙ୍କ ସମେତ ୨୦୭୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଯୁଦ୍ଧରେ ୨୬,୫୦୦ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୧୭୬୭ ଜଣ ଶିଶୁ ଅଛନ୍ତି ।ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ଦକ୍ଷିଣ ଇସ୍ରାଏଲର ନିଓଟ୍ ହୋଭାଭ ଶିଳ୍ପାଞ୍ଚଳରେ ଇରାନୀ ବାଲିଷ୍ଟିକ୍ ମିଶାଇଲ୍ ଆକ୍ରମଣ ଯୋଗୁଁ ଅଗ୍ନିକାଣ୍ଡ ପରେ ରାସାୟନିକ ଲିକ୍ ହେବାର ଆଶଙ୍କା ଥିବାରୁ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି। ନିଓଟ୍ ହୋଭାଭ ଉପରେ ଏହି ଆକ୍ରମଣ ସହିତ ଜଡିତ ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଆକାଶକୁ ବଡ଼ ବଡ଼ ଧୂଆଁ ଉଠୁଥିବା ଦେଖାଯାଉଛି ।
