ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାକୁ ବୋମା ମାଡ଼ରେ ଉଡ଼ାଇ ଦେବାକୁ ବାଚସ୍ପତି ବିଜେନ୍ଦର ଗୁପ୍ତାଙ୍କୁ ପୁଣିି ଥରେ ଇମେଲ୍ ମାଧ୍ୟମରେ ଧମକ ମିଳିଛି। ଧମକରେ ବିଧାନସଭା ମେଟ୍ରୋ ଷ୍ଟେସନର ନାମ ମଧ୍ୟ ଉଲ୍ଲେଖ ରହିଛି। ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ୭ଟା୨୮ରେ ବିଧାନସଭାର ସରକାରୀ ଆକାଉଣ୍ଟରେ ଏହି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଏହାର କିଛି ସମୟ ପରେ ସକାଳ ୭ଟା ୪୯ରେ ବାଚସ୍ପତି ବିଜେନ୍ଦର ଗୁପ୍ତାଙ୍କ ଆକାଉଣ୍ଟରେ ଆଉ ଏକ ଇମେଲ୍ ଆସିଥିଲା। ଇମେଲରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ତରୁଣଜିତ ସାନ୍ଧୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ କ୍ୟାବିନେଟ୍ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସାଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି। ଧମକ ମିଳିବା ପରେ ବିଧାନସଭା ପରିସର ସ୍ନିଫର ଡଗ୍ ସ୍କ୍ୱାଡ୍ ସହ ଯାଞ୍ଚ ଆରମ୍ଭ କରାଯାଇଥିଲା। ତେବେ କିଛି ସନ୍ଦିଗ୍ଧ ପଦାର୍ଥ ମିଳି ନଥିଲା। କେଉଁଠାରୁ ଧମକ ଆସିଛି ତାହା ଖୋଜିବା ପାଇଁ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି। ଦିଲ୍ଲୀ ବିଧାନସଭା ବଜେଟ ଅଧିବେଶନର ପାରମ୍ପରିକ ‘ଖିର୍ ସମାରୋହ’ ଆରମ୍ଭ ହେବାର ଗୋଟିଏ ଦିନ ପରେ ଏହା ଆସିଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ‘ବିକ୍ଷିତ ଦିଲ୍ଲୀ, ହରିତ୍ ଦିଲ୍ଲୀ’ (ବିକଶିତ ଦିଲ୍ଲୀ, ସବୁଜ ଦିଲ୍ଲୀ)ର ଦୃଷ୍ଟିକୋଣକୁ ଦୋହରାଇ କହିଛନ୍ତି ଯେ ଏହି ବଜେଟ ପ୍ରାୟ ୩ କୋଟି ଦିଲ୍ଲୀବାସୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପ୍ରମାଣିତ ହେବ।
