ଭୁବନେଶ୍ୱର: ଚଳିତ ଗ୍ରୀଷ୍ମ ଋତୁରେ ରୌଦ୍ରତାପ ବୃଦ୍ଧି ପାଇବାର ଆଶଙ୍କା କରି ରାଜ୍ୟ ସରକାର ଖରା ସମୟରେ ଶ୍ରମିକମାନଙ୍କ କାମ କରିବା ଉପରେ କଟକଣା ଜାରି କରିଛନ୍ତି । ସମ୍ଭାବ୍ୟ ଅଂଶୁଘାତକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ଦିନ ୧୧ଟଠାରୁ ୩ଟା ପର୍ଯ୍ୟନ୍ତ କାମରେ ନଲଗାଇବାକୁ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ ୧ରୁ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ । ରାଜ୍ୟ ଶ୍ରମ ଓ ଇଏସଆଇ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତ ଆରଡିସି, ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ରାଜ୍ୟ ଶ୍ରମ ବିଭାଗର ନିର୍ଦ୍ଦେଶନାମା ଅନୁସାରେ, ଓଡ଼ିଶାରେ କାର୍ଯ୍ୟ କରୁଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ ସମେତ ବେସରକାରୀ ନିଯୁକ୍ତିଦାତା, ବାଣିଜ୍ୟିକ ଓ ଶିଳ୍ପ ସଂସ୍ଥା, ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଠିକାଦାରମାନଙ୍କୁ ଏହି କଟକଣାକୁ ପାଳନ କରିବାକୁ କୁହାଯାଇଛି । ପ୍ରଚଣ୍ଡ ଖରାରେ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କାର୍ଯ୍ୟ ନିର୍ଘଣ୍ଟରେ ପରିବର୍ତ୍ତନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଯଦି କୌଣସି ଜରୁରୀକାଳୀନ ସେବା ବା ଅତ୍ୟାବଶ୍ୟକ କାର୍ଯ୍ୟ ନିମନ୍ତେ ଶ୍ରମିକମାନଙ୍କୁ ଦିନ ୧୧ଟାରୁ ୩ଟା ମଧ୍ୟରେ କାମ କରିବାକୁ ପଡ଼େ ତେବେ ସେମାନଙ୍କ ପାଇଁ କର୍ମକ୍ଷେତ୍ରରେ ସମସ୍ତ ସୁବିଧା ଯୋଗାଇଦେବାକୁ ନିଯୁକ୍ତିଦାତା ବାଧ୍ୟ । ବିଶେଷକରି ପାନୀୟ ଜଳ, ବିଶ୍ରାମ ପାଇଁ ଛାୟପ୍ରଦ ସ୍ଥାନ, ଜରୁରୀ ସ୍ୱାସ୍ଥ୍ୟସେବା ଓ ପ୍ରତ୍ୟେକ ଶ୍ରମିକଙ୍କ ପାଇଁ ଓଆରଏସ୍ ପ୍ୟାକେଟର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।ଅନ୍ୟପକ୍ଷରେ ସମ୍ଭାବ୍ୟ ଅଂଶୁଘାତ ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି । ଇଏସଆଇ ମେଡିକାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସବଡିଭିଜିନାଲ ଚିକିତ୍ସାଧିକାରୀ, ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରମାନଙ୍କୁ ରୋଗୀଙ୍କ ଚିକିତ୍ସା ପାଇଁ ସତର୍କ ରହିବାକୁ କୁହାଯାଇଛି ।ଏହାସହିତ ନିୟମ ଉଲ୍ଲଘଂନ କରୁଥିବା ନିଯୁକ୍ତିଦାତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛ
