କଲମ୍ବିଆ: ସୋମବାର ଦିନ ଦକ୍ଷିଣ କଲମ୍ବିଆରେ ଏକ ସାମରିକ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬୬ଜଣଙ୍କ ପ୍ରାଣହାନି ଘଟିଛି। ସି-୧୩୦ ହର୍କୁଲସ୍ ଜେଟ୍ ବିମାଟି ୧୨୫ ଜଣ ସୈନିକ, କ୍ରୁ ସଦସ୍ୟ, କର୍ମଚାରୀ ଏବଂ ପୋଲିସ ଅଧିକାରୀଙ୍କୁ ନେଇ ଯାଉଥିବା ବେଳେ ଇକ୍ୱେଡର ଏବଂ ପେରୁ ସୀମା ନିକଟବର୍ତ୍ତୀ ପୁଏର୍ଟୋ ଲେଗୁଇଜାମୋରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ବିମାନଟି ଘନ ଜଙ୍ଗଲ ଅଞ୍ଚଳରେ ଜ୍ୱଳନ୍ତ ଭଗ୍ନାବଶେଷ ବିଛାଡ଼ି ଦେଇଥିଲା, ଯାହା ଉଦ୍ଧାର କାର୍ଯ୍ୟକୁ ଅତ୍ୟନ୍ତ କଷ୍ଟକର କରିଥିଲା। ଏକ ସାମରିକ ସୂତ୍ରରୁ ଜଣାପଡ଼ିଛି ଯେ, ମୃତକଙ୍କ ମଧ୍ୟରେ ୫୮ ଜଣ ସୈନିକ, ୬ ଜଣ ବାୟୁସେନା କର୍ମଚାରୀ ଏବଂ ୨ ଜଣ ପୋଲିସ ଅଧିକାରୀ ଅଛନ୍ତି। ପୂର୍ବରୁ, ସ୍ଥାନୀୟ ସରକାରୀ ସଚିବ କାର୍ଲୋସ୍ କ୍ଲାରୋସ୍ ୩୩ ଜଣଙ୍କ ମୃତ୍ୟୁ ଖବର ଦେଇଥିଲେ। କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ ବିମାନରେ ୪୦ରୁ ଅଧିକ ଲୋକଙ୍କ ସ୍ଥିତି ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ସ୍ଥାନୀୟ ସରକାରୀ ସଚିବ କାର୍ଲୋସ୍ କ୍ଲାରୋସ୍ ଆରସିଏନ ଟେଲିଭିଜନକୁ କହିଛନ୍ତି ଯେ ଦୁର୍ଘଟଣାରେ ୪୮ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରୟାସ କରାଯାଉଛି। କଲମ୍ବିଆନ ବାୟୁସେନା କମାଣ୍ଡର ଫର୍ଣ୍ଣାଣ୍ଡୋ ସିଲଭା କହିଛନ୍ତି ଯେ ବିମାନରେ ୧୧୪ ଜଣ ଯାତ୍ରୀ ଏବଂ ୧୧ ଜଣ କ୍ରୁ ସଦସ୍ୟ ଥିଲେ ଏବଂ କର୍ତ୍ତୃପକ୍ଷ ଦୁର୍ଘଟଣାର କାରଣ ତଦନ୍ତ କରୁଥିବା ସେ କହିଛନ୍ତି।
