ଭଂଜନଗର: ଜଣେ କି ଦି’ଜଣ ନୁହେଁ । ୧୪ ଜଣ ମହିଳାଙ୍କ ନାମରେ, ଘରୋଇ ଅର୍ଥ ଲଗଣକାଣୀ ସଂସ୍ଥାରୁ ଋଣ କଲେ ଚତୁର ଦମ୍ପତି । ଋଣ ଟଙ୍କା ଆଣିବା ପରେ, ତାହା ପରିଶୋଧ କରିବାକୁ ମଧ୍ୟ କହିଥିଲେ । ହେଲେ ପରିଶୋଧ ନକରି ଗାଁ ଛାଡି ଅନ୍ୟତ୍ର ଚାଲିଗଲେ । ଅନ୍ୟପକ୍ଷରେ ଋଣ ଦେଇଥିବା ସଂସ୍ଥା, ଟଙ୍କା ପରିଶୋଧ କରିବା ପାଇଁ ସଂପୃକ୍ତ ୧୪ ଜଣ ମହିଳାଙ୍କୁ ତାଗିଦ୍ କଲେ । ସେପଟେ ଋଣ ପରିଶୋଧ କରିବାକୁ କହି ଫେରାର ଥିବା ଦମ୍ପତିଙ୍କ ନାମରେ ଥାନାରେ ଅଭିଯୋଗ କଲେ ମହିଳା ମାନେ । ଶେଷରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି କୋର୍ଟ ଚାଲାଣ କରିଛି ପୋଲିସ । ତାରାସିଙ୍ଗି ଥାନା ଅନ୍ତର୍ଗତ ଢୋଲପିଟା ଗାଁରେ ଘଟିଛି ଏଭଳି ଠକେଇ ଘଟଣା । ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ଦେଇଥିବା ସୂଚନା ପ୍ରକାରେ ଗତ ୨୮-୦୫-୨୦୨୪ ତାରିଖରେ ଢୋଲପିଟା ଗ୍ରାମର ଜଣେ ମହିଳା ବିବାସିନୀ ସେଠୀ ଅଭିଯୋଗ କରିଥିଲେ । ତାଙ୍କ ସମେତ ୧୪ ଜଣ ମହିଳା ଙ୍କ ନାମରେ ଏକ ଘରୋଇ ଅର୍ଥ ଲଗଣକାଣୀ ସଂସ୍ଥାରୁ ପ୍ରାୟ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଋଣ ନେଇ ଅଭିଯୁକ୍ତ ମହିଳା ସନ୍ଧ୍ୟାରାଣୀ ସାହୁ ନିଜ କାମରେ ଲଗାଇଥିଲେ । ସଂପୃକ୍ତ ସଂସ୍ଥା, ଋଣ ଟଙ୍କା ପରିଶୋଧ କରିବାକୁ ୧୪ ଜଣ ମହିଳାଙ୍କୁ ବାରମ୍ବାର କହିଥିଲେ । ପରବର୍ତ୍ତୀ ସମୟରେ ସମସ୍ତ ୠଣ ଟଙ୍କା ପରିଶୋଧ କରିବାକୁ ଉଭୟ ସ୍ୱାମୀ ଅନିଲ୍ କୁମାର ସାହୁ ଏବଂ ସ୍ତ୍ରୀ ସନ୍ଧ୍ୟାରାଣୀ ରାଜି ହୋଇଥିଲେ । କିନ୍ତୁ ତାହା ନକରି, ଉଭୟ ଦମ୍ପତି ଫେରାର ହୋଇ ଯାଇଥିଲେ । ଶେଷରେ ତାରାସିଙ୍ଗି ଥାନା ପୋଲିସ, ଗୁରୁବାର ଦିନ ଅଭିଯୁକ୍ତ ମହିଳା ସନ୍ଧ୍ୟାରାଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
