ନୂଆଦିଲ୍ଲୀ : ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ୱକପ ଫାଇନାଲ ମୁକାବିଲାରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରି ତୃତୀୟଥର ପାଇଁ ହାତେଇଛି ଟ୍ରଫି । ସୂର୍ଯ୍ୟବାହିନୀ ବିଶ୍ୱବିଜୟୀ ହେବା ପରେ ପ୍ରଂଶସା ସହ ବିସିସିଆଇ ଖେଳାଳିଙ୍କ ଉପରେ କରିଛି ଟଙ୍କା ବର୍ଷା । ତେବେ ଏହାରି ଭିତରେ ଟିମ୍ ଇଣ୍ଡିଆ ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଏବଂ ୱିଶିଂଟନ ସୁନ୍ଦର ଖାଲି ପାଦରେ ୧୪ କିଲୋମିଟର ଚାଳିଥିବାରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଭାରତ ଫାଇନାଲ ମୁକାବିଲା ଜିତିବା ପରେ ଏହି ଖେଳାଳି ତିରୁବନ୍ନାମଲାଇରୁ ଅରୁଣାଞ୍ଚଳ ପାହାଡ଼ ୧୪ କିଲୋମିଟର ପରିକ୍ରମା କରିଛନ୍ତି । ଭକ୍ତିଭାବ ସହ ଉଭୟ ଖେଳାଳି ଖାଲି ପାଦରେ ଯାତ୍ରା କରିଛନ୍ତି । ଅରୁଣାଚଳପର୍ବତକୁ ଭଗବାନ ଶିବଙ୍କ ଅବତାର ବୋଲି ମାନାଯାଏ । ଏହା ଅଗ୍ନିଜ୍ୱାଳାର ପ୍ରତୀକ ବୋଲି ମଧ୍ୟ ମାନାଯାଏ । ପୌରାଣିକା କାହାଣୀକୁ ଯଦି ବିଶ୍ୱାସ କରିବା ତାହେଲେ ବ୍ରହ୍ମା ଏବଂ ବିଷ୍ଣୁଙ୍କ ଅହଂକାରକୁ ଦମନ କରିବା ପାଇଁ, ଶିବ ଏକ ଅନନ୍ତ ଅଗ୍ନି ସ୍ତମ୍ଭର ରୂପ ନେଇଥିଲେ ଏବଂ ପରେ ପାହାଡରୂପରେ ଅବସ୍ଥାନ କରିଥିଲେ। ତେଣୁ, ପରିକ୍ରମା ଶିବଙ୍କୁ ପୂଜା କରିବାର ସବୁଠାରୁ ସରଳ ଏବଂ ଶକ୍ତିଶାଳୀ ଉପାୟ ବୋଲି ବିବେଚନା କରାଯାଏ। ଏଣୁ ଶ୍ରଦ୍ଧାଳୁମାନେ ମାନସିକ ପୂରଣ ପରେ ଏହି ପର୍ବତକୁ ପରିକ୍ରମା କରିଥାନ୍ତି । ଏହାସହ ଅନେକ ଶ୍ରଦ୍ଧାଳୁ ପରିକ୍ରମା କରିବା ଲାଗି ମଧ୍ୟ ମାନସିକକରିଥାନ୍ତି । ଆଉ ଏବେ ଭାରତ ଜିତିବା ଏହି ଦୁଇ ଖେଳାଳି ଖାଲି ପାଦରେ ପରିକ୍ରମା କରିଛନ୍ତି । ସେପଟେ ଆମେ ଯଦି ବରୁଣ ଚକ୍ରବର୍ତ୍ତୀଙ୍କ ସମ୍ପର୍କରେ କହିବା ତାହେଲେ ସେ ଟି-୨୦ ବିଶ୍ୱକପରେ ୯ ମ୍ୟାଚରେ ୧୪ ୱିକେଟ ଅକ୍ତିଆର କରିଛନ୍ତି । ମାତ୍ର ସେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ୧୦ରୁ ଅଧିକ ହାରରେ ରନ୍ ବ୍ୟୟ କରିଥିଲେ । ଲିଗ୍ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଥିଲେ ମାତ୍ର ପରବର୍ତ୍ତୀ ମ୍ୟାଚ ଗୁଡ଼ିକରେ ସେଭଳି ପ୍ରଦର୍ଶନ କରିପାରିନଥିଲେ । ୱାଶିଂଟନ୍ ସୁନ୍ଦର ଚଳିତ ଟି-୨୦ ବିଶ୍ୱକପରେ କେବଳ ୨ଟି ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ । ମାତ୍ର ସେ ଗୋଟିଏ ବି ୱିଟେ୍ ପାଇନଥିଲେ । ଅକ୍ଷରଙ୍କ ବଦଳରେ ତାଙ୍କୁ ଖେଳିବାର ସୁଯୋଗ ଦିଆଯାଇଥିବାବେଳେ ସମାଲୋଚନା ମଧ୍ୟ କରାଯାଇଥିଲା ।
