ନୂଆଦିଲ୍ଲ: ଟ୍ୱେଣ୍ଟି-୨୦ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳରେ ସ୍ଥାନ ପାଇନଥିବା ସତ୍ତ୍ୱେ ଶୁବମନ ଗିଲ୍ ୨୦୨୫ର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ପାଇବେ। ଏହା ସହିତ ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କୁ ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ଲାଗି କର୍ଣ୍ଣେଲ୍ ସି.କେ.ନାଇଡୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା ୧୫ ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ବିସିସିଆଇ ବାର୍ଷିକ ପୁରସ୍କାର ସମାରୋହ ‘ନମନ’ରେ ଉଭୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେହିପରି ଘରୋଇ ସୀମିତ ଓଭର କ୍ରିକେଟ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁମ୍ବାଇର ଆୟୁଷ ମାତ୍ରେଙ୍କୁ ଲାଲା ଅମରନାଥ ଶ୍ରେଷ୍ଠ ଅଲ୍ରାଉଣ୍ଡ୍ର ପୁରସ୍କାର ପ୍ରଦାନ କରାଯିବ। ୨୦୨୫ରେ ଗିଲ୍ ଟେଷ୍ଟରେ ମୋଟ ୯୮୩ ରନ୍ କରିଥିଲେ। ଏହା ମଧ୍ୟରୁ ୭୫୪ ରନ୍ ସେ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ କରିଥିଲେ। ସେହିପରି ଦିନିକିଆରେ ସେ ମୋଟ ୪୯୦ ରନ୍ କରିଥିଲେ। ଗତ ବର୍ଷ ସେ ୪୯ ହାରାହାରି ସହ ମୋଟ ୧୭୬୪ ଅନ୍ତର୍ଜାତୀୟ ରନ କରିଥିଲେ। ଏହା ମଧ୍ୟରେ ସାତଟି ଶତକ ଓ ୩ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ଥିଲା। ସେହିପରି ଆଇପିଏଲ୍ ୨୦୨୫ରେ ସେ ମୋଟ ୬୫୦ ରନ୍ କରିଥିଲେ।
