ପୁରୀ: ଚକ୍ରତୀର୍ଥ ରୋଡ ସ୍ଥିତ ସଂସ୍କୃତି ଭବନ ଠାରେ ପୁରୀଜିଲ୍ଲା ସିନିୟର ସିଟିଜେନ ଫୋରମର ସପ୍ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଫୋରମର ଜିଲ୍ଲା ସଭାପତି ପ୍ରଫେସର କାର୍ତ୍ତିକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥିଭାବେ ଅତିରିକ୍ତ ଏସପି ସୌମ୍ୟରଞ୍ଜନ ମଲ୍କିକ, ସୂଚନା ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସିନିୟର ସିଟିଜେନ ଫୋରମର ରାଜ୍ୟ ସମ୍ପାଦକ ଯୁଗଳ କିଶୋର ସାହୁ, ସନସାଇନ ହସ୍ପିଟାଲର ମୁତ୍ରରୋଗ ବିଶେଷଜ୍ଞ ଡାକ୍ତର ଆଦିତ୍ୟ ମହାପାତ୍ର, ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମଞ୍ଚର ସଭାପତି ଟହଲି ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ସମ୍ମିଳନୀରେ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ବରିଷ୍ଟ ନାଗରିକ ମାନଙ୍କ ଯାତ୍ରା ପାଇଁ ଯେଉଁ ରେଲୱେ ରିହାତି ମିଳୁଥିଲା ତାହା କରୋନା ସମୟଠାରୁ ବନ୍ଦ ରହିଛି । ଏହାକୁ ପୁନଃ ପ୍ରଚଳନ ପାଇଁ ଦାବି କରାଯାଇଛି । ସରକାର ବାହାର ଜିଲ୍ଲାର ବରିଷ୍ଠ ନାଗରିକଙ୍କ ପାଇଁ ଯୋଜନା କରି ପରିବହନ, ଖାଦ୍ୟ ଓ ପାନୀୟ ଦେଇ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷିତ ସୁବିଧା ଜଗନ୍ନାଥ ଦର୍ଶନ କରାଉଥିବା ବେଳେ ଜିଲ୍ଲାର ବରିଷ୍ଠ ନାଗରିକ ମାନେ ଏହି ସୁବିଧାରୁ ବଞ୍ଚିତ । ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ସୁବିଧା ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଶୀଘ୍ର ବ୍ୟବସ୍ଥା କରିବା ପାଇଁ ସମ୍ମିଳନୀରେ ଦାବି କରାଯାଇଥିଲା । ବିଶେଷ କରି ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ବରିଷ୍ଠ ନାଗରିକମାନଙ୍କୁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଉ । ଜିଲ୍ଲା ଚିକିତ୍ସାଳୟରେ ହୃଦରୋଗ ଚିକିତ୍ସା ବ୍ୟବସ୍ଥା ଥିଲେ ମଧ୍ୟ ବରିଷ୍ଠ ନାଗରିକ ମାନଙ୍କର ବାର୍ଦ୍ଧକ୍ୟ ଜନିତ ରୋଗର କୌଣସି ପ୍ରକାର ସୁବିଧା ନାହିଁ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ଉଚିତବୋଲି ଦାବି ଉଠିଥିଲା । ସରକାରଙ୍କ ସମସ୍ତ ଯୋଜନାରେ ବରିଷ୍ଠ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରାଯିବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଫୋରମର ସ୍ୱତନ୍ତ୍ର ପୁସ୍ତିକା ଅସ୍ତରାଗ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଗୋସେବକ ସୁଜିତ କୁମାର ଦେଓ, ଚିନ୍ମୟୀ ଦେଓ, ସୁରେନ୍ଦ୍ର କୁମାର ସାହୁ, ହୃଷିକେଶ ତ୍ରିପାଠୀ, ଫଟୋ ସାମ୍ବାଦିକ ଯଜେ୍ଞଶ୍ୱର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ଦେବେନ୍ଦ୍ର କୁମାର ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ସନ୍ତୋଷ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାରମ୍ଭରେ ଯୋଗଗୁରୁ ମନମୋହନ ମହାପାତ୍ର ଯୋଗ ପ୍ରଦର୍ଶନ କରିଥିଲେ । କୋଷାଧ୍ୟକ୍ଷ ଗୋଲକ ଚନ୍ଦ୍ର ଜେନା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମନୋରମା ପାଢ଼ୀ, ବଟକୃଷ୍ଣ ସ୍ୱାଇଁ, ଅଶୋକ କୁମାର ମହାନ୍ତି, ବନମାଳୀ ପୃଷ୍ଟି, ପିତାମ୍ବର ମହାପାତ୍ର, କିଶୋର କୁମାର ପଟ୍ଟନାୟକ, ପତିତପାବନ ସାମନ୍ତରାୟ, ମନୋଜ ଦୀକ୍ଷିତ ପ୍ରଫୁଲ୍ଲ କୁମାର ରାଉତ, ସଞ୍ଜୟ ଦାସ, ଶଙ୍କର ବାରିକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଉପସଭାପତି ଗୁଣ୍ଡୁଚା ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।
