କଟକ: ରାଜ୍ୟସଭା ଉପନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ। ସେ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ଏକାଧିକ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ।ଆଜି ଦେବାଶିଷ ସାମନ୍ତରାୟ ରାଜ୍ୟ ବିଜେପି ମୁଖ୍ୟାଳୟରେ ପହଞ୍ଚିବା ପରେ ୧୧ଟାରେ ପଟୁଆରରେ ବାହାରି ପରେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଦେବାଶିଷ ସାମନ୍ତରାୟ ବିଜେପିରେ ମିଶିବା ପରେ ବିଜେପିର ଶକ୍ତି ବଢିଛି। ଉପକୂଳ ରାଜନୀତିରେ ଦେବାଶିଷଙ୍କ ଦବଦବା ରହିଛି। ସେ ବିଜେପିରେ ମିଶିବା ଦ୍ୱାରା ଦଳ ଅଧିକ ଶକ୍ତିଶାଳୀ ହେଉଛି। ଅନ୍ୟ ନେତା ବିଜେପିକୁ ଆସିବାକୁ ଆଲୋଚନା କରୁଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ପ୍ରାର୍ଥୀ କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ଗୁରୁବାର ଶ୍ରୀ ସାମନ୍ତରାୟଙ୍କ ପ୍ରାର୍ôଥତ୍ୱ ସମ୍ପର୍କରେ ଘୋଷଣା କରାଯାଇଛି। ଆସନ୍ତା ୧୮ରେ ଓଡ଼ିଶା ବିଧାନସଭାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ ପଡ଼ିବ। ବିଜେଡି ଟିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ସାମନ୍ତରାୟ ଗତ ମାସ ୨୫ରେ ବିଜେଡି ପ୍ରାଥମିକ ସଦସ୍ୟ ପଦ ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ପରେ ସେ ନୂଆଦିଲ୍ଲୀରେ ବିଜେପି ସଦସ୍ୟତା ଗ୍ରହଣ କରିଥିଲେ।
