ଗଞ୍ଜାମ: ବଜ୍ରାଘାତ ନେଲା ଯୁବକଙ୍କ ଜୀବନ। ଗଞ୍ଜାମ କୋଦଳା ନିକଟସ୍ଥ ଦେଓଗାଁ ଠାରେ ଗତ ସଂଧ୍ୟାରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ବିଚିତ୍ର ଗୌଡ। ସେ ଗାଈ ଚରାଇବା ପାଇଁ ଦେଓଗାଁ ହଜକୁ ଯାଇଥିଲେ। ଗତ ସଂଧ୍ୟାରେ କାଳବୈଶାଖି ପ୍ରଭାବରେ ବଜ୍ରପାତ ଘଟିଥିଲା। ଘଟଣା ସ୍ଥଳରେ ସେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପୋଲସରା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ମରଶରୀରକୁ ବ୍ଯବଛେଦ ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠା ଯାଇଥିବା ବେଳେ ବିଚିତ୍ରଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମୃତ ବିଚିତ୍ରଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।
