ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ଼ ଓ ରବିଚନ୍ଦ୍ରନ୍ ଅଶ୍ୱୀନ ୟୁରୋପୀୟ ଟ୍ୱେଣ୍ଟି-୨୦ ପ୍ରିମିୟର ଲିଗ୍( ଇଟିପିଏଲ୍)ର ଗୋଟିଏ ଫ୍ରାଞ୍ଚାଇଜି କିଣିବାର ସମ୍ଭାବନା ରହିଛି । ଏଥିପାଇଁ ଉଭୟ ଏକ ନିବେଶକ ଗୋଷ୍ଠୀ ବା କନ୍ସୋର୍ଟିୟମ୍ରେ ସାମିଲ ହୋଇଛନ୍ତି । ଗ୍ଲାସଗୋ ଭିତ୍ତିକ ଏକ ଫ୍ରାଞ୍ଚାଇଜି କିଣିବାକୁ ଏହି କନ୍ସୋର୍ଟିୟମ୍ ରାଜି ହୋଇଛି । ୟୁରୋପୀୟ ଟ୍ୱେଣ୍ଟ- ୨୦ ପ୍ରିମିୟର ଲିଗ୍ ଚଳିତ ବର୍ଷରୁ ଆରମ୍ଭ ହେବ ଓ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ ଛଅଟି ଫ୍ରାଞ୍ଚାଇଜି ରହିଛନ୍ତି । ତେବେ ପରିବର୍ତ୍ତି ସମୟରେ ଫ୍ରାଞ୍ଚାଇଜି ସଂଖ୍ୟା ବୃଦ୍ଧି କରାଯିବାକୁ ଯୋଜନା ରହିଛି । ବର୍ତ୍ତମାନ ସୁଦ୍ଧା ଆମଷ୍ଟରଡାମ, ବେଲଫାଷ୍ଟ ଓ ଏଡିନବର୍ଗର ଫ୍ରାଞ୍ଚାଇଜିକୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର କେତେକ ନିବେଶକ ଖରିଦ କରିସାରିଛନ୍ତି । ଏହି ଲିଗ୍ର ଆଉ ଏକ ଫ୍ରାଞ୍ଚାଇଜି କିଣିବାକୁ କେତେକ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟରଙ୍କ ଏକ ଗୋଷ୍ଠୀ ଉଦ୍ୟମ କରୁଛି । ଏହି ଦଳରେ ଅଛନ୍ତି ଫାପ୍ ଡୁପ୍ଲେସିସ୍, ଜଣ୍ଟି ରୋଡ୍ସ ଓ ହେନେରିକ୍ କ୍ଲାସେନ । ନେଦରଲାଣ୍ଡସ୍ର ଦ୍ୱିତୀୟ ବୃହତ୍ତମ ସହର ରୋଟରଡାମରେ ଏହି ଫ୍ରାଞ୍ଚାଇଜି ରହିବ । ଚଳିତ ମାସ ଶେଷ ଭାଗରେ ଏହି ପ୍ରମିୟର ଲିଗ୍ର ରୂପରେଖ ଓ ଫ୍ରାଞ୍ଚାଇଜି ମାନଙ୍କ ସଂପର୍କରେ ଔପଚାରିକ ଘୋଷଣା କରାଯିବ । ପୂର୍ବରୁ ନିଜର କ୍ରିକେଟ୍ କ୍ୟାରିୟର ସମୟରେ ରାହୁଲ ଦ୍ରାବିଡ଼ ସ୍କଟ୍ଲାଣ୍ଡ କ୍ରିକେଟ୍ ସହ ଜଡ଼ିତ ଥିଲେ । ୨୦୦୩ରେ ସେ ସ୍କଟ୍ଲାଣ୍ଡ ପକ୍ଷରୁ ଏକ କାଉଣ୍ଟି କ୍ରିକେଟ୍ ଖେଳୁଥିଲେ । ଏଣୁ ସ୍କଟ୍ଲାଣ୍ଡ ସହ ତାଙ୍କ ପୁରୁଣା ସମ୍ପର୍କ ରହିଛି ।
