ମୁମ୍ବାଇ: ଚଳିତ ଟ୍ୱେଣ୍ଟି-୨୦ ବିଶ୍ୱକପ୍ର ଶ୍ରେଷ୍ଠ ଖେଳାଳି ଦୌଡ଼ରେ ଏକମାତ୍ର ଭାରତୀୟ ଖେଳାଳିଭାବେ ସଂଜୁ ସାମସନ୍ ସ୍ଥାନ ପାଇଛନ୍ତି। ଆଇସିସିର ସୂଚନା ଅନୁସାରେ ଏହି ଦୌଡ଼ରେ ମୋଟ ଆଠଜଣ ଖେଳାଳି ଅଛନ୍ତି, ସେମାନେ ହେଲେ ଇଂଲଣ୍ଡର ଅଲ୍ରାଉଣ୍ଡର ୱିଲ୍ ଜାକ୍ସ, ପାକିସ୍ତାନୀ ଓପନର ସାହିବଜାଦା ଫରହାନ, ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଲୁଙ୍ଗି ଏନଗିଡି, ଦକ୍ଷିଣ ଆଫ୍ରିକା ଅଧିନାୟକ ଐଦେନ ମାର୍କରାମ୍, ନ୍ୟୁଜିଲାଣ୍ଡ ଅଲ୍ରାଉଣ୍ଡର ରାଚିନ ରବୀନ୍ଦ୍ର, ୱିକେଟ୍ ରକ୍ଷକ ଟିମ୍ ସେଫର୍ଟ, ୟୁଏସଏର ଦ୍ରୁତ ବୋଲର ସାଡଲେ ଭାନ୍ ସାଲ୍କ୍ୱାଇକ୍। ସଂଜୁ ଚଳିତ ବିଶ୍ୱକପ୍ର ପ୍ରାରମ୍ଭିକ ମ୍ୟାଚ୍ ଗୁଡ଼ିକରେ ଖେଳିନଥିଲେ। ତେବେ ଓପନର ଅଭିଷେକ ଶର୍ମା ଅସୁସ୍ଥ ହେବା ପରେ ସେ ନାମିବ୍ୟା ବିପକ୍ଷ ମ୍ୟାଚ୍ରେ ତାଙ୍କୁ ସାମିଲ କରାଯାଇଥିଲା। ପରେ ଅଭିଷେକ ବିଫଳ ହେବା ଓ ଓପନିଂରେ ଜଣେ ଡାହାଣହାତି ବ୍ୟାଟରଙ୍କ ଅବଶ୍ୟକତା ଅନୁଭୂତ ହେବା ପରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା। ସୁପର-୮ ମ୍ୟାଚ୍ରେ ସେ ଚମତ୍କାର ଖେଳ ପ୍ରଦର୍ଶନ କରି ଦୁଇଟି ଲଗାତାର ମ୍ୟାଚ ବିଜୟୀ ପାଳି ଖେଳି ଭାରତକୁ ଫାଇନାଲ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଚଳିତ ବିଶ୍ୱକପ୍ରେ ସେ ଏପର୍ଯ୍ୟନ୍ତ ମୋଟ ୨୩୨ ରନ୍ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୯୭ ରନ୍ (୫୦ ବଲ୍) ଓ ଇଂଲଣ୍ଡ ବିପକ୍ଷରେ ୮୯ ରନ (୪୨ ବଲ୍)ର ପାଳି ଅନ୍ତର୍ଭୁକ୍ତ। ଅନ୍ୟପକ୍ଷରେ ଇଂଲଣ୍ଡର ୱିଲ୍ ଜାକ୍ସ ଚଳିତ ବିଶ୍ୱକପ୍ରେ ୮ଟି ମ୍ୟାଚ୍ ଖେଳି ୨୨୬ ରନ୍ କରିବା ସହ ୯ଟି ୱିକେଟ୍ ନେଇଛନ୍ତି। ସେହିପରି ସାହିବଜାଦା ଫରହାନ୍ ୩୮୩ ରନ୍ କରି ଗୋଟିଏ ଟ୍ୱେଣ୍ଟି ବିଶ୍ୱକପ୍ରେ ସର୍ବାଧିକ ରନ୍ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଦକ୍ଷିଣ ଆଫ୍ରିକାର ଲୁଙ୍ଗି ଏନଗିଡି ଚଳିତ ବିଶ୍ୱକପ୍ରେ ମୋଟ ୧୨ଟି ୱିକେଟ୍ ନେଇଥିବାବେଳେ ମାର୍କରାମ୍ ୨୮୬ ରନ୍ କରିବା ସହ ଗୋଟିଏ ୱିକେଟ୍ ନେଇଛନ୍ତି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ଟିମ୍ ସେଇଫର୍ଟ ତିନିଟି ଅର୍ଦ୍ଧଶତକ ସହ ମୋଟ ୨୭୪ ରନ୍ କରିଛନ୍ତି
