କୁଲୁ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ନାତି ବୀର ସୋରେନଙ୍କର ହିମାଚଳ ପ୍ରଦେଶର ମନାଲିର ଏକ ହୋମ୍ଷ୍ଟେରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି। ପୋଲିସ ସୂଚନା ଅନୁସାରେ ବୀର ସୋରେନ ତାଙ୍କର ଦୁଇ ବନ୍ଧୁଙ୍କ ସହିତ ଫେବ୍ରୁଆରୀ ୨୨ ତାରିଖରେ ହିଲ୍ ଷ୍ଟେସନ ଭ୍ରମଣ ପାଇଁ ଆସିଥିଲେ। ସେମାନେ ସିମସାର ଏକ ହୋମଷ୍ଟେରେ ରହୁଥିଲେ। ଫେବ୍ରୁଆରୀ ୨୪ ତାରିଖରେ ବୀରଙ୍କ ବନ୍ଧୁମାନେ ସୋଲାଙ୍ଗ ଏବଂ ସେଥାନ ଅଞ୍ଚଳ ବୁଲିବାକୁ ଯାଇଥିଲେ। କିନ୍ତୁ ବୀର ରୁମରେ ରହଥିଲେ। ପୋଲିସକୁ ତାଙ୍କ ବନ୍ଧୁମାନେ କହିଛନ୍ତି, ସେମାନେ ଅପରାହ୍ନ ପ୍ରାୟ ୧୨ଟା ୩୦ରେ ନିଜ ରୁମକୁ ଫେରିବା ବେଳେ ବୀର ଶୋଇଥିଲେ। ଯେତେବେଳେ ସେମାନେ ତାଙ୍କୁ ଉଠାଇଲେ, ତାଙ୍କର ପ୍ରବଳ ମୁଣ୍ଡବିନ୍ଧା ହୋଇଥିବା ସେ କହିଥିଲେ। ସେମାନେ ଅନ୍ଲାଇନରେ ଔଷଧ ମଗାଇ ତାଙ୍କୁ ଖାଇବାକୁ ଦେଇଥିଲେ। ତା’ପରେ ବୀର ପୁଣି ଶୋଇପଡ଼ିଲେ। ସେମାନେ ଅପରାହ୍ଣ ପ୍ରାୟ ୨ଟା ସମୟରେ ତାଙ୍କ ରୁମ ଭିତରକୁ ପ୍ରବେଶ କରିବା ବେଳେ ବୀରଙ୍କୁ ବେଡ୍ରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଲେ। ବନ୍ଧୁମାନେ ତାଙ୍କୁ ତୁରନ୍ତ ସିଭିଲ୍ ହସ୍ପିଟାଲ ମନାଲିକୁ ନେଇଯାଇଥିଲେ। ବୀରଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ସମୟରେ ତାଙ୍କ ପାଟିରୁ ଫେଣ ବାହାରିବାକୁ ଲାଗିଲା। ହସ୍ପିଟାଲର ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଘଟଣା ବିଷୟରେ ସୂଚନା ପାଇବା ପରେ, ମନାଲି ପୋଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପ୍ରାଥମିକ ତଦନ୍ତରେ କୌଣସି ବାହ୍ୟ ଆଘାତ ମିଳିନାହିଁ। ମନାଲି ଡିଏସପି କେଡି ଶର୍ମା କହିଛନ୍ତି ଯେ ମାମଲାର ସମସ୍ତ ଦିଗ ତଦନ୍ତ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ। ଚମ୍ପାଇ ତାଙ୍କ ନାତିର ମୃତ୍ୟୁ ନେଇ ଏକ ପୋଷ୍ଟରେ ଲେଖିଛନ୍ତି, “ଗମ୍ଭୀର ଦୁଃଖର ସହିତ, ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଆମର ପ୍ରିୟ ନାତି ବୀର ସୋରେନ ୨୪ ଫେବ୍ରୁଆରୀ ୨୦୨୬ ରେ ଅକାଳରେ ମୃତ୍ୟୁବରଣ କରିଛନ୍ତି। ହିମାଚଳ ପ୍ରଦେଶର ମନାଲିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବା ପରେ, ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ଭାଗ୍ୟର ଅନ୍ୟ ଯୋଜନା ଥିଲା। ବୀରଙ୍କ ବିଦାୟ ସହିତ, ଆମ ପରିବାର ଭାଙ୍ଗି ପଡ଼ିଛି। ସୋରେନ ପରିବାର ଗଭୀର ଶୋକରେ ରହିଛି।
