ଭୁବନେଶ୍ୱର(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହୋଇଛି । ଏହି ଅଧିବେଶନରେ ବିରୋଧୀ ପ୍ରବଳ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ ଚାଲିବା ମୁସ୍କିଲ ହୋଇଥିଲା । ଏହି ଅଧିବେଶନ ଶେଷ ହେବା ପରେ ଗୃହକୁ ଆସନ୍ତା ମାର୍ଚ୍ଚ ୯ ତାରିଖ ସକାଳ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ମାର୍ଚ୍ଚ ୯ରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ । ଚଳିତ ଅଧିବେଶନରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଚାଷୀ ପ୍ରସଙ୍ଗକୁ ମୁଦ୍ଦା କରି ରାଜ୍ୟ ସରକାରଙ୍କୁ ଘେରିଥିଲେ । ଫଳରେ ଗୋଟିଏ ବି ଦିନ ପ୍ରଶ୍ନକାଳ ସମ୍ପୂର୍ଣ୍ଣ ଚାଲିପାରିନାହିଁ । ଚାଷୀଙ୍କ ସମସ୍ୟାର ସମାଧାନ ହେଉନଥିବା ବେଳେ ମଣ୍ଡିରେ ଧାନ ଉଠୁନି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ସେମାନଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ୨୪ବର୍ଷ ସରକାରରେ ଥିବାବେଳେ ଏବେ ବିରୋଧୀ ଦଳ ହୋଇଛନ୍ତି । ଆସନ୍ତା ୨୪ବର୍ଷ ପର୍ଯ୍ୟନ୍ତ ଆଉ ସରକାରକୁ ସେମାନେ ଆସିବେ ନାହିଁ । ବିରୋଧୀ ଦଳର ଭୂମିକା ନିର୍ବାହ ନକରି, ଚାଷୀଙ୍କ ନାଁରେ ହୀନ ରାଜନୀତି କରୁଛନ୍ତି । ବିଜେଡି କହୁଥିଲା ଲକ୍ଷାଧିକ ଚାଷୀଙ୍କୁ ନେଇ ବିଧାନସଭା ଘେରାଉ କରିବ, ହେଲେ ଆଜି କେତେ ଲୋକ ଆସିଥିଲେ । ବିଜେଡିର ଚାଷୀ ସମାବେଶରେ ଚାଷୀ ଥିଲେ କି ବୋଲି କହି କଡା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଆଗୁଆ ପଂଚାୟତ ନିର୍ବାଚନକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ରାଜ୍ୟରେ ଆଗୁଆ ପଂଚାୟତ ନିର୍ବାଚନ ହେବାର ଆକଳନ ଓ ସମ୍ଭାବନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଖୋଦ୍ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ। ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀଙ୍କ ପରେ ମନ୍ତ୍ରୀ ଶ୍ରୀ ନାଏକ ଏହି ସୂଚନା ଦେଇଛନ୍ତି। ଯଦିଓ ରାଜ୍ୟରେ ଆଗୁଆ ପଂଚାୟତ ନିର୍ବାଚନ ହେବା ନେଇ ବିଜେପି ରାଜ୍ୟ ସଭାପତ ମନମୋହନ ସାମଲ ଗତ ମାସରେ ଦଳୀୟ କର୍ମୀମାନଙ୍କୁ ସୂଚନା ଦେଇଥିଲେ । ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି ଯେ, ରାଜ୍ୟରେ ୨୦୨୭ ଫେବୃୟାରୀ ପୂର୍ବରୁ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ନାହିଁ। ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ କରିବା ପାଇଁ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି ଓ ଏହା ନିୟମ ଅନୁସାରେ ନିର୍ଦ୍ଧାରିତ ସମୟରେ ହିଁ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ନାଏକ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଗତମାସରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳୀୟ କର୍ମୀମାନଙ୍କୁ ପାର୍ଟି ଅଫିସରେ ଆଗୁଆ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ଜନଗଣନା ପ୍ରକ୍ରିୟା ଆରମ୍ଭ ହେବାର ୨- ୩ମାସ ମଧ୍ୟରେ ଅର୍ଥାତ୍ ଆଗାମୀ ୬ମାସ ମଧ୍ୟରେ ପଂଚାୟତ ନିର୍ବାଚନ ହୋଇପାରେ ବୋଲି ଶ୍ରୀ ସାମଲ ସଙ୍କେତ ଦେଇଥିଲେ । ଅବଶ୍ୟ ଏହି ବୟାନ ଗଣମାଧ୍ୟମରେ ଚର୍ଚ୍ଚା ହେବାପରେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ପରୋକ୍ଷରେ ଏହି ଆଗୁଆ ନିର୍ବାଚନ ସମ୍ଭାବନାକୁ ଖଣ୍ଡନ କରିଥିଲେ। ସେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ ଯେ, ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପଂଚାୟତିରାଜ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ପୂରଣ ହେବା ପରେ ହିଁ ନିର୍ବାଚନ ହେବ ବୋଲି ସେ କହିଥିଲେ ।
