ଲକ୍ଷ୍ନୌ: ଗୋଟିଏ ଦଶନ୍ଧି ଧରି ୩୩ ଜଣ ଶିଶୁଙ୍କ ସହ ଦୁଷ୍କର୍ମ ତଥା ଯୌନ ନିର୍ଯାତନା ମାମଲାର ବିଚାର କରି ଉତ୍ତର ପ୍ରଦେଶ ବାନ୍ଦାର ଏକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ଶୁକ୍ରବାର ରାଜ୍ୟର ଜଳସେଚନ ବିଭାଗର ଜଣେ ପୂର୍ବତନ କନିଷ୍ଠ ଯନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ସ୍ୱତନ୍ତ୍ର କୋର୍ଟ ଏହି ଅପରାଧଗୁଡ଼ିକୁ “ବିରଳରୁ ବିରଳ’ ବୋଲି ଅଭିହିତ କରିଛନ୍ତି। ଏହି ଦମ୍ପତି ହେଲେ ରାମ ଭବନ(୪୮) ଓ ଦୁର୍ଗାବତୀ(୪୫)। ସେମାନେ ୨୦୧୦ରୁ ୨୦୨୦ ମଧ୍ୟରେ ପିଲାମାନଙ୍କ ସହିତ କ୍ରମାଗତ ନିର୍ଯାତନା ଦେବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ଦମ୍ପତି ଇଣ୍ଟରନେଟ୍ ମାଧ୍ୟମରେ ପ୍ରାୟ ୪୭ଟି ଦେଶରେ ପୀଡିତାଙ୍କ ଦୁଇ ଲକ୍ଷରୁ ଅଧିକ ଆପତ୍ତିଜନକ ଭିଡିଓ ଏବଂ ଫଟୋଗ୍ରାଫ୍ ପ୍ରସାରିତ କରିଛନ୍ତି। ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ପ୍ରଦୀପ କୁମାର ମିଶ୍ରଙ୍କ କୋର୍ଟ ଭାରତୀୟ ଦଣ୍ଡ ସଂହିତା ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନର ବ୍ୟବସ୍ଥା ଅନୁଯାୟୀ ଏହି ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ବିରୋଧରେ ଗୁରୁତର ଯୌନ ନିର୍ଯାତନା, ଅଶ୍ଳୀଳ ଉଦ୍ଦେଶ୍ୟରେ ଶିଶୁକୁ ବ୍ୟବହାର କରିବା, ଶିଶୁମାନଙ୍କ ସହିତ ଜଡିତ ଅଶ୍ଳୀଳ ସାମଗ୍ରୀ ସଂରକ୍ଷଣ କରିବା ଏବଂ ପ୍ରୋତ୍ସାହନ ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ଅଭିିଯୋଗ ଆସିଥିଲା।ଅଦାଲତ ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରତ୍ୟେକ ୩୩ ପୀଡିତଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଅଦାଲତ ଅଭିଯୁକ୍ତଙ୍କ ଘରୁ ଜବତ ହୋଇଥିବା ନଗଦ ରାଶିକୁ ପୀଡିତଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ ବାନ୍ଦା ଜିଲ୍ଲାର ନରୈନୀ ସହରର ବାସିନ୍ଦା ରାମ ଭବନ ଚିତ୍ରକୂଟ ଜିଲ୍ଲାରେ ଏକ ଭଡ଼ାଘରେ ରହୁଥିଲେ। ସେଠାରେ ସେମାନଙ୍କ ଶିଶୁଙ୍କୁ ଯୌନ ଶୋଷଣ କରିଆସୁଥିଲେ। ଏଥିରେ ତାଙ୍କ ପତ୍ନୀ ତାଙ୍କୁ ସହାୟତା କରୁଥିବା ଅଭିଯୋଗ ଆସିଥିଲା। ସରକାରୀ ଓକିଲ ସୌରଭ ସିଂହ କହିଛନ୍ତି ଯେ ପବ୍ଲିକ ପ୍ରସିକ୍ୟୁସନ୍ ମାମଲା ସମୟରେ ୭୪ ଜଣ ସାକ୍ଷୀଙ୍କୁ ପରୀକ୍ଷା କରିଛନ୍ତି, ଯେଉଁଥିରେ ୨୫ ଜଣ ପୀଡିତ ମଧ୍ୟ ସାମିଲ ଅଛନ୍ତି। ତଦନ୍ତ ସମୟରେ, ଏଜେନ୍ସି ପୀଡିତଙ୍କ ୩୪ଟି ଭିଡିଓ ଏବଂ ୬୭୮ଟି ଫଟୋଗ୍ରାଫ୍ ଉଦ୍ଧାର କରିଛି। ସିବିଆଇ ନଭେମ୍ବର ୨୦୨୦ରେ ରାମ ଭବନଙ୍କୁ ଚିତ୍ରକୂଟରୁ ଗିରଫ କରିଥିଲା। ଗିରଫ ହେବା ପରଠାରୁ ସେ ଜେଲରେ ଅଛନ୍ତି। ତାଙ୍କ ପତ୍ନୀ ଦୁର୍ଗାବତୀଙ୍କୁ ଗୋଟିଏ ମାସ ପରେ ଗିରଫ କରାଯାଇଥିଲା।
