ପୁରୀ: କୁମ୍ଭାରପଡା ନନ୍ଦିଘୋଷ ଲେନ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ଯାନିକେତନ ସଭାଗୃହରେ ପୁରସ୍କାର ବିତରଣ ଉତ୍ସବ ୨୦୨୫-୨୬ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଖୋ ଖୋ ଫେଡେରେସନ ଭାରତ ର ଉପସଭାପତି ଓ ରାଜ୍ଯର ସମ୍ପାଦକ ତଥା ପୁରୀ ପ୍ରୟାସ ଟେଲିଭିଜନର ପରିଚାଳନା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ମିଶ୍ର ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ପୂର୍ବକ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟକୁ ମନ୍ଦିର ଭାବି ଛାତ୍ରଛାତ୍ରୀ ମାନେ ପରିବେଶକୁ ସ୍ୱଚ୍ଛ ରଖିବା ଉଚିତ । ବାପା ଓ ମାଆ ପରି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଛାତ୍ରଛାତ୍ରୀ ମାନେ ପାଠ ପଢିବା ସହ ଗଛ ଲଗାଇବାକୁ ପରାମର୍ଶ ଦେବା ସହ ଛାତ୍ରଛାତ୍ରୀଙ୍କ ନୃତ୍ଯ ସଂଗୀତ ପରିବେଷଣକୁ ଶ୍ରୀମିଶ୍ର ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଡେଲାଙ୍ଗ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଅଶୋକ ମହାନ୍ତି, ଏଲଆଇସି କଲୋନୀ ସ୍ଲୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଚାରୁଲତା ମିଶ୍ର ପ୍ରମୁଖ ଯୋଗଦେଇ କହିଲେ ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀ ଶୃଙ୍ଖଳିତ ଏବଂ ସୁସଂଗଠିତ ହୋଇପାରିବେ । ଶିକ୍ଷା ସମାଜର ସମ୍ପଦ । ଚରିତ୍ର ଗଠନର ମୁଖ୍ଯ ଉପାଦାନ ଏବଂ ଜୀବନର ପ୍ରକୃତ ମୂଲ୍ଯବୋଧକୁ ଦର୍ଶାଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ସମ୍ପାଦକ କବିରାଜ ପ୍ରଧାନ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଅନ୍ନପୂର୍ଣ୍ଣା ଥିଏଟର ମଞ୍ଚରେ ପ୍ରୟାସ ଟେଲିଭିଜନର ବାର୍ଷିକ ଉତ୍ସବରେ ବିଦ୍ଯାନିକେତନର କୁନି କୁନି ଛାତ୍ରଛାତ୍ରୀ ମାନେ ସାସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ଯ ଗୀତ ପରିବେଷଣ କରିଥିଲେ । ସେହି ପରିପ୍ରେକ୍ଷୀରେ ଶନିବାର ପୂର୍ବାହ୍ନରେ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ମାନଙ୍କୁ ଟେଲିଭିଜନର ନିର୍ଦ୍ଦେଶକଙ୍କ ସମେତ ଅତିଥି ମାନଙ୍କ ଦ୍ୱାରା ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷକ ସରୋଜ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ଲକ୍ଷ୍ମୀନାରାୟଣ ପାଢୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଅଖିଳ ରଞ୍ଜନ ଆଚାର୍ଯ୍ଯ, ଦୁର୍ଗା ଚରଣ ହରିଚନ୍ଦନ, ଶିକ୍ଷୟିତ୍ରୀ ଜ୍ଯୋତିର୍ମୟୀ ଦାଶ, ଶୁଭଶ୍ରୀ ଦାଶ,ରାଜଶ୍ରୀ ପ୍ରଧାନ, ସୌଦାମିନୀ ସାହୁ ଓ ସୁକାନ୍ତି ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
