ପୁରୀ: ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଅନୁଷ୍ଠିତ ଜାଗରଯାତ୍ରା ଅବସରରେ ସୋମବାର ଭୋର ୫ଟାରୁ ମହାଦୀପ ଉଠିଥିଲା । ଲକ୍ଷାଧିକ ଶ୍ରଦ୍ଧାଳୁ ରାତିଯାକ ଉଜାଗର ରହି ଭୋର ମହାଦୀପ ଦର୍ଶନ କରିଥିଲେ । ପୂର୍ବରୁ ରାତିରେ ହରିହର ଭେଟ ଦର୍ଶନ କରିଥିଲେ । ଓ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ଚତୁଃପାର୍ଶ୍ୱ । ନିଷ୍ଠା ଓ ଶ୍ରଦ୍ଧାଭକ୍ତିର ସହ ରାତିଯାକ ଉଜାଗର ରହି ବେଢା ଓ ଜାଗର ପଦାରେ ଦୀପ ଜାଳିଥିଲେ ଶ୍ରଦ୍ଧାଳୁ । ହରିବୋଲ ହୁଳହୁଳି ଓ ଜୟ ବାବା ଲୋକନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଜାଗର ପଡ଼ିଆ । ଶିବମୟ ହୋଇଥିଲା ଲୋକନାଥ ମନ୍ଦିର ପରିସର । ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପ୍ରାୟ ୧୧ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ । ଜିଲ୍ଲାପାଳ ଦିବ୍ୟଜ୍ୟୋତିପରିଡା, ଏସପି ପ୍ରତୀକ ସିଂ, ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ରାଜକିଶୋର ଜେନା, ସିଟିଡିଏସପି ରଶ୍ମିରଞ୍ଜନ ମହାପାତ୍ର, ଟାଉନଥାନା ଇନ୍ସପେକ୍ଟର ଗୋକୁଳ ରଞ୍ଜନ ଦାସ, ବାସେଳୀ ଥାନା ଇନ୍ସପେକ୍ଟର ଅବିନାଶ ରାଉତ ପ୍ରମୁଖ ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଭକ୍ତ ମାନଙ୍କୁ ବିଭିନ୍ନ ସେବା ଯୋଗାଇଥିଲେ । ଭକ୍ତ ମାନେ ସକାଳୁ ଘରକୁ ଫେରିଥିଲେ ।
