ପୁରୀ: ଧର୍ମକ୍ଷେତ୍ର ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରିଛନ୍ତି । ଶ୍ରୀଜୀଉଙ୍କ ସେବା ପାଇଁ ସେବକ ଅଛନ୍ତି । ମହାପ୍ରଭୁଙ୍କ ବିଭିନ୍ନ ସେବା ମଧ୍ଯରୁ ଦର୍ପଣିଆ ସେବକ ଅନ୍ୟତମ। ସେବକ ପ୍ରିୟ ଶ୍ରୀଜଗନ୍ନାଥ ମହାପ୍ରଭୁ । ମହାପ୍ରଭୁଙ୍କ ସେବା କରିବା ଭାଗ୍ୟରେ ଥାଏ ବୋଲି କୁହାଯାଏ । ମହାପ୍ରଭୁଙ୍କୁ ସେବା କରି ସେବକ ପୁଣ୍ୟ ଅର୍ଜନ କରିଥାନ୍ତି । ବାଲିସାହି ସ୍ଥିତ ଶେତ୍ୱଗଙ୍ଗା ଲେନର ଦର୍ପଣିଆ ସେବାୟତ ତ୍ରିନାଥ ବେଜଙ୍କ ସାନପୁଅ ୩୪ ବର୍ଷୀୟ ଲକ୍ଷ୍ମୀଧର ବେଜ ରୀତିନୀତି ଅନୁଯାଇ ସେବାୟତ କୂଳର ପରମ୍ପରା ଓ ବିଧିବିଧାନ ଅନୁସାରେ ସୋମବାର ପୂର୍ବାହ୍ନରେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଶାଢୀବାନ୍ଧି ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୋଇଥିଲେ । ଶ୍ରୀମନ୍ଦିରର ଦେଉଳକରଣ ଓ ପାଟ୍ଟଯୋଶୀ ମହାପାତ୍ର ତାଙ୍କ ମୁଣ୍ଡରେ ଶାଢୀ ବାନ୍ଧିଥିଲେ । ପରେ ମା ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିବା ସହ ପାର୍ଶ୍ୱ ଦେବାଦେବୀଙ୍କୁ ପ୍ରଣାମ କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ୧୨ ମାସରେ ୧୩ଯାତ୍ରା ଅନୁଷ୍ଠିତ ହୁଏ । ମହାପ୍ରଭୁଙ୍କ ପ୍ରତେକ ଦିନ ସେବା ସମେତ ଅଣସର ସେବା, ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଦୋଳପୂର୍ଣ୍ଣିମା, ଚନ୍ଦନଯାତ୍ରା ଓ ଅନ୍ଯାନ୍ଯ ବିଶେଷ ଦିନ ମାନଙ୍କରେ ଦର୍ପଣିଆ ସେବାୟତ ମାନେ ଉପସ୍ଥିତ ରହି ମହାପ୍ରଭୁଙ୍କ ନୀତିକାନ୍ତି କରିଥାନ୍ତି । ଦର୍ପଣିଆ ନିଯୋଗର ସଭାପତି ଶ୍ଯାମସୁନ୍ଦର ବେଜ, ସମ୍ପାଦକ ଶ୍ରୀକାନ୍ତ କୁମାର ବେଜ, ବିଜୟ କୁମାର ବେଜ,ଶ୍ରୀବେନ୍ଦ୍ର ବେଜ,ନରସିଂହ ବେଜ,ଦାମୋଦର ବେଜ, ମନୋଜ କୁମାର ବେଜଙ୍କ ସମେତ ବେଜ ପରିବାରର ଭାଇମାନେ ଏକତ୍ରିତ ହୋଇ ଶ୍ରୀମନ୍ଦିର ଯାଇ ଶାଢୀବନ୍ଧା ନୀତିରେ ଉପସ୍ଥିତ ରହିଥିଲେ । ଶ୍ରୀମନ୍ଦିର ଆସିବା ପରେ ଘରର ଇଷ୍ଟ ଦେବାଦେବୀଙ୍କ ପାଖରେ ଚାଉଳ ଆଞ୍ଜୁଳା ଅର୍ପଣ କରି ମୁଣ୍ଡିଆ ମାରି ଆଶିଷ ଭିକ୍ଷା କରିଥିଲେ । ଘରର ପୂର୍ବପୁରୁଷ ମାନଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହିତ ଘରର ଗୁରଜନ ମାନଙ୍କ ନିକଟରେ ନତମସ୍ତକ ହୋଇଥିଲେ । ବେଜ ପରିବାର ବନ୍ଧୁବାନ୍ଧବ ମାନେ ଉପସ୍ଥିତ ରହି ମହାପ୍ରଭୁଙ୍କ ସେବାରେ ନିୟୋଜିତ ଲକ୍ଷ୍ମୀଧର ବେଜଙ୍କୁ ଆର୍ଶୀବାଦ ଦେଇ ମହାପ୍ରଭୁଙ୍କ ସେବା କାର୍ଯ୍ୟରେ ଭାବ ଭକ୍ତିର ସହ କରିବାକୁ ପରାମର୍ଶ ଦେଇଥିଲେ ଓ ଶୁଭ ମନାସିଥିଲେ । ମହାପ୍ରଭୁଙ୍କ ନିକଟରେ ନିଷ୍ଠା, ଶ୍ରଦ୍ଧା ଓ ଭକ୍ତିର ସହ ସେବା ମନୋଭାବ ରଖି ସମର୍ପିତ ହୋଇ କାଳିଆ ସେବାରେ ନିୟୋଜିତ ହୋଇଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି ଦର୍ପଣିଆ ସେବାୟତ ଲକ୍ଷ୍ମୀଧର ବେଜ ।
