ବାରିପଦା: ବାଙ୍ଗିରିପୋଷିରେ ଗୋ ମାତା ଚୋରି ଏବଂ ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଛି । କିଛି ମାସ ପୂର୍ବରୁ ଗାଁ ଗହଳିରୁ ଅନେକ ଗୋ ମାତା ସହିତ ଷଣ୍ଢ ଚୋରି ହୋଇ ବିକ୍ରି ହଉଥିବାର ଜାଣିବାକୁ ମିଳିଛି । ମହାଶିବ ରାତ୍ରୀ ଜାଗର ମେଳା ଚାଲିଥିବା ବେଳେ, ସକାଳ ୫ଟା ୩୦ ମିନିଟରେ ଷଣ୍ଢ ବୋଝେଇ ଏକ ଧଳା ବୋଲେର ନଂ ଓଆର ୦୨ ଏପି ୭୧୬ କଳାବାଡ଼ିଆ ପଟରୁ ବାଙ୍ଗିରିପୋଷି ଦେଇ ୪୯ନମ୍ବର ଜାତୀୟ ରାଜପଥ ପଟକୁ ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଙ୍ଗିରିପୋଷି ଥାନା ସାମ୍ନାରେ ଥିବା ପଦ୍ମା ନାମକ ମେଡ଼ିସିନ ଦୋକାନରେ ଧକା ହୋଇଥିଲା । ଚାଳକ ସହିତ ଆଉ ତିନିଜଣ ବୋଲେରକୁ ଘଟଣା ସ୍ଥଳରେ ଛାଡି ଖସି ପଳାଇ ଥିଲେ । ଥାନାରୁ ପୋଲିସ ଦଳବଳ ହୋଇ ଆସି ବୋଲେର ଭିତରେ ଚାରୋଟି ଷଣ୍ଢ ବୋଝେଇ ହୋଇଥିବାର ଦେଖି ଉଦ୍ଧାର କରିଥିଲେ । ଥାନା ଅଧିକାରୀ ସସ୍ମିତା ପ୍ରଧାନ ପଶୁ ଡାକ୍ତର ଖାନାକୁ ଜଣାଇ ସେଠାରୁ ପଶୁ ଚିକିତ୍ସା ଅଧିକାରୀ ମାନେ ଆସି ଷଣ୍ଢ ଗୁଡିକର ପ୍ରାଥମିକ ଚିକିତ୍ସା କରିଥିଲେ । ଷଣ୍ଢ ଚାରିଟିଙ୍କୁ ଚାକୁଳିଆ ଗୋଶାଳାକୁ ପଠାଇ ଦିଆଯାଇଥିବା ଏବଂ ଗାଡି ନମ୍ବର ଅନୁଯାୟୀ ବୋଲେର ମାଲିକକୁ ଧରିବାକୁ ପୋଲିସ ପ୍ରୟାସ ଚଲାଇଥିବାର ଜଣାଯାଇଛି । ଶିବରାତ୍ରୀ ପରି ପବିତ୍ର ଦିନରେ ଏଭଳି ଘଟଣାକୁ ସ୍ଥାନୀୟ ଲୋକେ ଘୋର ନିନ୍ଦା କରିବା ସହିତ ପୋଲିସ, ତୁରନ୍ତ ଅପରାଧୀ ମାନଙ୍କୁ ଧରିବାକୁ ଦାବୀ କରିଛନ୍ତି.
