କୁରନୁଲ: ଆନ୍ଧ୍ରପ୍ରଦେଶର କୁରନୁଲ ଜିଲ୍ଲାରେ ପ୍ରେମ ଓ ପ୍ରତିଶୋଧକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ନିଜର ପୂର୍ବତନ ପ୍ରେମିକଙ୍କ ପତ୍ନୀଙ୍କୁ ବଳପୂର୍ବକ ମାରାତ୍ମକ ଏଚଆଇଭି ସଂକ୍ରମିତ ଇଂଜେକସନ ଦେଇ ମରଣମୁହଁକୁ ଠେଲି ଦେଇଛନ୍ତି। ଏହି ମାମଲାରେ ପୋଲିସ କୁରୁନୁଲର ଅଭିଯୁକ୍ତ ମହିଳା ବିଚୁପାଲ୍ଲି ବୋୟା ବସୁନ୍ଧରା, ଯିଏକି ଜଣେ ଏମଏସସି ନର୍ସିଂ ଗ୍ରାଜୁଏଟ୍ (୩୪), ତାଙ୍କ ବାନ୍ଧବୀ ଆଡୋନିର ଏକ ଘରୋଇ ଡାକ୍ତରଖାନାର ନର୍ସ ଭାବେ କାର୍ଯ୍ୟ କରୁଥିବା କଙ୍ଗେ ଜ୍ୟୋତି(୪୦) ଓ ତାଙ୍କର ଦୁଇ ପୁଅଝିଅଙ୍କୁ ପୋଲିସ ଗିରଫ କରିଛି। ପୀଡ଼ିତା ମହିଳା ଜଣକ କୁରନୁଲ ମେଡିକାଲ କଲେଜରେ ଆସିସାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି। ତାଙ୍କ ସ୍ୱାମୀ ମଧ୍ୟ ଜଣେ ଡାକ୍ତର। ଡାକ୍ତର ଜଣକ ବସୁନ୍ଧରାଙ୍କ ସ୍କୁଲ ତଥା କଲେଜ ବେଳର ସହପାଠୀ ତଥା ପୂର୍ବତନ ପୁରୁଷ ବନ୍ଧୁ। ତେବେ ସେମାନଙ୍କର ବ୍ରେକଅପ୍ ହେବାପରେ ଡାକ୍ତର ଜଣକ ୩୨ ବର୍ଷୀୟ ମହିଳା ଡାକ୍ତରଙ୍କୁ ବିବାହ କରିଥିଲେ। ହେଲେ ବସୁନ୍ଧରା ଏହା ସହ୍ୟ କରିପାରୁନଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ସେ ଷଡ଼ଯନ୍ତ୍ର ରଚିଥିଲେ। ଜାନୁଆରୀ ୯ ତାରିଖ ଦିନ ମହିଳା ଡାକ୍ତର ଜଣକ ଡାକ୍ତରଖାନାରୁ ସ୍କୁଟି ଯୋଗେ ଘରକୁ ଦ୍ୱିପହର ଖାଇବା ପାଇଁ ଆସୁଥିବା ସମୟରେ ବସୁନ୍ଧରା ଅନ୍ୟ ୩ଜଣଙ୍କ ସହ ଦୁଇଟି ବାଇକାରେ ଯାଇ ତାଙ୍କ ସ୍କୁଟିକୁ ଧକ୍କା କରାଇ ଦେଇଥିଲେ। ସେ ସ୍କୁଟିରୁ ପଡ଼ିଯିବା କ୍ଷଣି ବସୁନ୍ଧରା ତାଙ୍କୁ ସାହାଯ୍ୟ କରିବା ବାହାନାରେ ଏଚଆଇଭି ସଂକ୍ରମିତ ଏକ ଇଂଜେକସନ ବଳପୂର୍ବକ ଫୋଡ଼ି ଦେଇଥିଲେ। ସେ ଏହାକୁ ସରକାରୀ ଡାକ୍ତରଖାନାରୁ ଗବେଷଣା ପାଇଁ ରଖାଯାଇଥିବା ଏଚଆଇଭି ସଂକ୍ରମିତ ରକ୍ତ ନମୁନାକୁ ସଂଗ୍ରହ କରି ଏହାକୁ ନିଜ ଫ୍ରିଜରେ ରଖିିଥିଲେ। ସଂପୃକ୍ତ ମହିଳା ଡାକ୍ତରଙ୍କ ଦେହରେ ଫୋଡିବା ପାଇଁ ସୁଯୋଗ ଖୋଜୁଥିଲେ ବୋଲି ପୋଲିସ କହିଛି। ଜାନୁଆରୀ ୧୦ ତାରିଖ ଦିନ ମହିଳା ଡାକ୍ତରଜଣକ କୁରନୁଲ ଟାଉନଥାନାରେ ଏ ନେଇ ଅଭିଯୋଗ କରିଥିଲେ।
ପୂର୍ବତନ ପୁରୁଷ ବନ୍ଧୁଙ୍କ ପତ୍ନୀଙ୍କୁ ଏଚଆଇଭି ସଂକ୍ରମିତ ଇଂଜେକସନ ଫୋଡ଼ିଦେଲେ ମହିଳା
















Leave a Reply