ପୁରୀ: ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ବଡଦାଣ୍ଡ ସ୍ଥିତ ରାଜାନଅର ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇଉଠିଛି । ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ କରୁଛନ୍ତି । ଶନିବାର ରଥ ନିର୍ମାଣର ୫୪ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଶୁକ୍ରବାର ତିନିରଥର ତୃତୀୟ ଭୂଇଁ ଫ୍ରେମ୍ ଉଠି ମଝି ଭୂଇଁ ଉପରେ ସ୍ଥାପିତ ହୋଇଥିଲା । ତିନିରଥର ତୃତୀୟ ଭୂଇଁ ଫ୍ରେମ୍ ଉଠି ମଝି ଭୂଇଁ ଉପରେ ସ୍ଥାପିତ କାର୍ଯ୍ୟ ଶେଷ ହୋଇଛି । ଶନିବାର ଠାରୁ ଆରମ୍ଭ ହୋଇଛି ତିନିରଥର ତେରପରସ୍ଥ ପୋଟଳ କାର୍ଯ୍ୟ , ଏହା ରଥର ଶେଷ ଭୂଇଁ ଉପରୁ ନିର୍ମାଣ ହୋଇଥାଏ । ତିନିରଥର ଏକ ନମ୍ୱର ପୋଟଳ ସଂଯୋଗ ହେବା ପରେ ବାକି ୧୨ ପରାସ୍ତ ପୋଟଳ ପାରାଭାଡ଼ି କୁ ମିଶାଇ ନିର୍ମାଣ ହେବ। ଏଥିସହ ଆଜି ତିନିରଥର ଆଗ ଆଣି ଏବଂ ପଛ ଆଣି ଦୁଇଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇଛି। ତିନିରଥର ମହାରଣା ମାନେ ଭାରି ଜିନିଷର ବୁହା ବୋହି ପାଇଁ ଭୋଇ ସେବକ ମାନଙ୍କ ପାଇଁ ଦୁଇଟି ଲେଖାଏଁ ୨୦ ଫୁଟିଆ ସାଙ୍ଗି ନିର୍ମାଣ ଶେଷ କରିଛନ୍ତି। ମହାରଣା ସେବକ ମାନେ ତିନି ରଥର କନକ ମୁଣ୍ଡି , ଅଁଳା ପିଣ୍ଡି, କଳସ ପିଣ୍ଡି ନିର୍ମାଣ ପାଇଁ ୪ ଟି ଲେଖାଏଁ ଶିମିଳି କାଠ ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ରୂପକାର ସେବକ ମାନେ ତିନିରଥର ୪ ଟି ଲେଖାଏଁ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଶେଷ କରି ବାକି ୪ ଗୋଟି ଲେଖାଏଁ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରୀ ରଖିବା ସହ ତିନି ରଥର ଗୋଟିଏ ଗୋଟିଏ ଚାର ପରିଛା ରେ ୫ଟି ଲେଖାଏଁ ପଦ୍ମ ଫୁଲ ସହ ପଦ୍ମକଢ଼ି ଡାଳି ଲତା ଚିତ୍ର ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ କଇଁଚି କଣ୍ଟା ସହ , ତିନିରଥର ପୋଟଳ ପାଇଁ ନରାଜ କଣ୍ଟା, ପୋଟଳ ନଡ଼ା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ଏବଂ ରଥ ଯାତ୍ରା ପାଇଁ ତିନି ରଥର ଠାକୁରଙ୍କ ବେଶ ପାଇଁ ବେଶ୍ ଘୋଡ଼ିଆ,ଚାଙ୍ଗଡ଼ା ଷ୍ଟାଣ୍ଡ, ବାସୁଙ୍ଗା ପାଟ ଦଉଡ଼ି ବୋଳିବା ପାଇଁ ବାଉଁଶ କାଠି ଏବଂ ରଥକୁ ଉଠି ନିର୍ମାଣ କାର୍ଯ୍ୟ ପାଇଁ ବାଉଁଶ ସିଡି ନିର୍ମାଣ କରୁଛନ୍ତି। ଆଜି ଚିତ୍ରକାର ସେବକ ମାନେ ତିନିରଥର ପାର୍ଶ୍ୱ ଦେବ ଦେବୀ, ସଖୀ, ଓଲଟ ଶୁଆ, ଏବଂ ଶିଖର ଡମ୍ବରୁ ଇତ୍ୟାଦି ସଫା କାର୍ଯ୍ୟ ଶେଷ କରି ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି। ତିନିରଥ ର ମହାରଣା ସେବକ ୭୮ ଜଣ, ଭୋଇ ସେବକ ୭୫ଜଣ, ରୂପକାର ସେବକ ୨୧ଜଣ , ଓଝା କମାର ସେବକ ୨୦ଜଣ , କରତୀ ସେବକ ୪ଜଣ ,ତୁମ୍ବ ବିନ୍ଧ କାରିଗର ୨ଜଣ ,ପାହି ମହାରଣା ୨ଜଣ , ରଥଖଳା ସହାୟକ ୧ଜଣ ମୋଟ ୨୦୩ ଜଣ ରଥ ନିର୍ମାଣକାରୀ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
