ପୁରୀ: ରଥ ନିର୍ମାଣରେ ଚିତ୍ରକର ସେବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ରଥ ନିର୍ମାଣରେ ଚିତ୍ରକର ସେବକଙ୍କ ଗୁରୁତ୍ୱ ରହିଛି । ଶ୍ରୀମନ୍ଦିର ସ୍ୱତ୍ୱଲିପିର ସେବା ନମ୍ବର ୮୭ରେ ଚିତ୍ରକର ସେବା ସମ୍ପର୍କରେ ଉଲ୍ଲେଖ ରହିଛି । ଚିତ୍ରକର ସେବକ ମାନେ ୮୧ଟି ପାର୍ଶ୍ୱ ଦେବାଦେବୀଙ୍କ ରଙ୍ଗ,୬ଟି ଦ୍ୱାରପାଳ, ୨୭ଟି ଶିଖର ଡମ୍ବୁରୁ,୨୪ଟି ବଡ ଶଖୀ, ୬ଟି କଳସ, ୬ଟି ଓଲଟ ଶୁଆ, ୩ଟି ଅଁଳା ବେଢା, ୩୩ଟି କନ୍ଯା ପଟା ଓ ୨୪ଟି ନାଟ ଗୋଡ ରଙ୍ଗ କାର୍ଯ୍ଯ ଶୁକ୍ରବାର ଠାରୁ ଆରମ୍ଭ କରିଛନ୍ତି ।

ଏହାସହ ୮୪ ଟି ହଂସପଟା ରଙ୍ଗ ଓ ପ୍ରତି ରଥର ୮ ଟି ଲେଖାଁଏ ଋଷି ପଟା,ହାତୀ ପଟା, ମଗରପଟା, ଦୁଆର ବେଢାର ଚିତ୍ର କାର୍ଯ୍ଯ କରିବେ । ଏଥିସହ ତିନିରଥର ରଙ୍ଗକାର୍ଯ୍ଯ ମଧ୍ଯ କରିଥାନ୍ତି । ଅକ୍ଷୟ ତୃତୀୟାରୁ ଚିତ୍ରକର ସେବକ ମାନେ ସଂକଳ୍ପ ସହ ହବିଷ ପାଳନ କରିଥାନ୍ତି । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ଯାଳୟରେ ଏହି ସବୁ ରଙ୍ଗ କାର୍ଯ୍ଯ କରୁଛନ୍ତି । ସମୁଦାୟ ୪୦ ଜଣ ଚିତ୍ରକର ସେବକ ରଙ୍ଗ ଓ ଚିତ୍ର କାର୍ଯ୍ଯରେ ନିମଗ୍ନ ଅଛନ୍ତି । ଶ୍ରୀମନ୍ଦିର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥରେ ମୁଖ୍ଯ ଚିତ୍ରକର ସେବକ ରବି ଶଙ୍କର ମହାରଣାଙ୍କ ନେତୃତ୍ୱରେ ୨୯ ଜଣ ସେବକ କାର୍ଯ୍ଯରତ ଅଛନ୍ତି । ସେହିପରି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ମୁଖ୍ଯ ଚିତ୍ରକର ସେବକ ଦେବଦତ୍ତ ମହାରଣାଙ୍କ ନେତୃତ୍ୱରେ ୧୩ ଜଣ ଚିତ୍ରକର ସେବକ କାର୍ଯ୍ଯ କରିଛନ୍ତି । ନିଷ୍ଠା ଭକ୍ତିର ସହ ମହାପ୍ରଭୁଙ୍କ ସେବାରେ ନିୟୋଜିତ ରହି ନିଜକୁ ଧନ୍ଯ ମନେ କରିଛନ୍ତି ।
