ବାରିପଦା /କରଞ୍ଜିଆ: କରଞ୍ଜିଆ ବନଖଣ୍ଡ ଅଧୀନ ଦୁଧିଆଣି ବନାଞ୍ଚଳର ପୁରୁଣା ଦେଓଗାଁ ସଂରକ୍ଷିତ ଜଙ୍ଗଲରେ ମୃତ ଅବସ୍ଥାରେ ଠାବ ହୋଇଥିବା ହାତୀ ଶାବକର ବ୍ୟବଛେଦ କାର୍ଯ୍ୟ ଗୁରୁବାର ସମ୍ପନ୍ନ ହୋଇଛି। ବ୍ୟବଛେଦ ପରେ ଶାବକର ଶେଷକୃତ୍ୟ ମଧ୍ୟ ସେହି ଜଙ୍ଗଲ ମଧ୍ୟରେ ବନ ବିଭାଗ ପକ୍ଷରୁ କରାଯାଇଥିବା ସୂଚନା ମିଳିଛି।
କରଞ୍ଜିଆ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟର ପ୍ରାଣୀ ଚିକିତ୍ସକ ଡା. ପ୍ରଦୀପ କୁମାର ସାହୁ, ଡା. କଲ୍ୟାଣୀ ମାରାଣ୍ଡି ଏବଂ ଯଶିପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟର ଡା. ସୌରଭ ରଞ୍ଜନ ହୋତା ଘଟଣାସ୍ଥଳରେ ପହଞ୍ଚି ହାତୀ ଶାବକର ବ୍ୟବଛେଦ କରିଥିଲେ।ଏହି ସମୟରେ ସରକାରୀ ସାକ୍ଷୀ ଭାବେ ବାଟପଳସା ରାଜସ୍ୱ ନିରୀକ୍ଷକ ବ୍ରହ୍ମଜିତ ରାଉତ, ତହସିଲ ଅମିନ ରାମହରି ଟୁଡୁ, ପୁରୁଣା ଦେଓଗାଁ ୱାର୍ଡ ସଭ୍ୟଙ୍କ ସହ ଦୁଧିଆଣୀ ବନାଞ୍ଚଳ ଅଧିକାରୀ ମହାବୀର ସିଂ ମୁର୍ମୁ, ସହକାରୀ ବନ ସଂରକ୍ଷକ ପ୍ରଭାତ କୁଅଁର, କରଞ୍ଜିଆ ବନଖଣ୍ଡ ଅଧିକାରୀ ଅଜୟ କୁମାର ସାହୁ ଓ ଦରି ବନପାଳ ଲକ୍ଷ୍ମୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।ପାରିପାର୍ଶ୍ୱିକ ସ୍ଥିତି ଏବଂ ପ୍ରାଥମିକ ତଦନ୍ତରୁ ହାତୀ ଶାବକଟି ଦଳର ଦୁଇ ଦନ୍ତା ହାତୀଙ୍କ ମଧ୍ୟରେ ହୋଇଥିବା ଲଢ଼େଇର ଶିକାର ହୋଇଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ତେବେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ କରିବା ପାଇଁ ଶାବକର ଭିସେରା ଓ କ୍ଷତସ୍ଥାନରୁ ସଂଗୃହୀତ ମାଂସ ନମୁନାକୁ ପରୀକ୍ଷା ନିମନ୍ତେ ଭୁବନେଶ୍ୱର ପଠାଯାଇଥିବା ଡା. ସାହୁ ସୂଚନା ଦେଇଛନ୍ତି।ଏହି ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
