ପୁରୀ: ଜୁଲାଇ ୧୬ ତାରିଖ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ବଡଦାଣ୍ଡ ସ୍ଥିତ ରାଜା ନଅର ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇପଡିଛି । ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ଯରେ ନିମଗ୍ନ ରହିଛନ୍ତି । ଦ୍ରୁତ ଗତିରେ ଆଗେଇ ଚାଲିଛି ତିନିରଥ ନିର୍ମାଣ କାର୍ଯ୍ଯ । ବୁଧବାର ରଥ ନିର୍ମାଣର ୫୧ ତମ ଦିବସରେ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତିନି ରଥର ଚାରି ନାହାକାରେ ପ୍ରଥମ ଭୂଇଁ ଛ କାଠି ବା ଭୂଇଁ ଚଉତା ସେଟିଙ୍ଗ ହୋଇଥିଲା । ମଙ୍ଗଳବାର ଚାରି ନାହାକାରେ ତିନିରଥର ର ପ୍ରଥମ ଭୂଇଁ ଚଉତା ବା ଛ’କାଠି ସଂଯୋଗ ଶେଷ ହୋଇଥିଲା । ପ୍ରଥମ ଭୂଇଁ ଫ୍ରେମ୍ ର ବାକି ଅଂଶ ଗୁଡ଼ିକ ଯଥା ଭୂଇଁ ଖାମ୍ବୀ ସଂଯୋଗ ହୋଇ ଚାରି ପାର୍ଶ୍ୱରେ ପାଖୁଡ଼ା ଗୁଡିକୁ ଧରି ରଖିବା ପାଇଁ ଚାରି ନାହାକା ଚତୁର୍ପାର୍ଶ୍ୱରେ ଚଉଦ ନାହାକା ଉଠିବା ପରେ ପ୍ରଥମ ଭୂଇଁ ଫ୍ରେମ୍ ଉଠିବା କାର୍ଯ୍ୟ ସମ୍ପନ୍ନ ହେବ । ତିନିରଥ ରେ ଚଉଦ ନାହାକା ବୁଲିବା କାର୍ଯ୍ୟକ୍ରମ ରହିଥିବାରୁ ତାର ପୂର୍ବ ପ୍ରସ୍ତୁତି ଶେଷ ହୋଇଛି ।

ଏଣୁ ଭୋଇ ସେବକ ମାନେ ତିନିରଥର ମହାରଣା ସେବକ ମାନଙ୍କୁ ଚାରି ଫୁଟ ଲମ୍ବର ନଡ଼ିଆ ଗର ବା ଖଦୀଓରା ଯୋଗାଇ ଦେବା ପରେ ମହାରଣା ସେବକ ମାନେ ସେହି ନଡ଼ିଆ ଗରର ଉଭୟ ପାର୍ଶ୍ୱକୁ ଚିତା କରି ପ୍ରତି ରଥରେ ୯ ଟି ଲେଖାଏଁ ୨୭ ଗୋଟି ଖଦୀଓରା ବା ନଡ଼ିଆ ଗର ସେଟିଙ୍ଗ କାର୍ଯ୍ୟ ଶେଷ ହୋଇଛି।ଦ୍ୱିତୀୟ ଭୂଇଁ ବା ମାଝୀ ଭୂଇଁ ଫ୍ରେମ୍ ନିର୍ମାଣ ଶେଷ ହୋଇଛ ।ଆଜି ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ସହଯୋଗୀ ମହାରଣା ଏବଂ ଭୋଇ ସେବକଙ୍କ ସହଯୋଗରେ ତିନି ରଥର ମଝି ଭୂଇଁ ବା ଦ୍ୱିତୀୟ ଭୂଇଁ ଫ୍ରେମ୍ ନିର୍ମାଣ ସହ ଶେଷ କରିଥିଲେ । ଏଥିସହ ଦ୍ୱିତୀୟ ଭୂଇଁ ର ବିଭିନ୍ନ ଅଂଶ ଗୁଡ଼ିକର ନମ୍ବରିଙ୍ଗ କାର୍ଯ୍ୟ ତିନିରଥର ମହାରଣା ମାନେ ଶେଷ କରିଛନ୍ତି। ତାଳଧ୍ୱଜ ରଥ ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ମହାପ୍ରଭୁଙ୍କ ଅଣସର ତାଟି ଘର ପ୍ରସ୍ତୁତି ପାଇଁ ଆବଶ୍ୟକ ୩ ଟି ୨୦ ଫୁଟିଆ ଅଣସର ଗୟଳ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି।ରୂପକାର ସେବକ ମାନେ ତିନିରଥ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ସହ ଚାରପରିଛା ରେ ପାଞ୍ଚୋଟି ଲେଖାଏଁ ପଦ୍ମ ଫୁଲ ଚିତ୍ର ଖୋଦେଇ ସହ ପଦ୍ମ କଢ଼ି ,ଡାଳି ଲତା ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି ।ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକ ମାନେ ତିନିରଥର ଭୂଇଁ ବିଡିଆ କଣ୍ଟା ସହ ତେର ପରାସ୍ତ ପିତଳ ପାଇଁ ବାଗିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ଏବଂ ରଥ ଯାତ୍ରା ସେବା ପୂଜା କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା ରଥଖଳାରେ ପହଞ୍ଚି ପରିଦର୍ଶନ ସହ ରଥ ନିର୍ମାଣ ଅଗ୍ରଗତି ଓ ସମୀକ୍ଷା ସହ କରିଥିଲେ । ରଥ ନିର୍ମାଣକାରୀ ସେବକ ମାନଙ୍କ ସହ କଥାବାର୍ତ୍ତ କରି ରଥ ନିର୍ମାଣ କାର୍ଯ୍ୟ ଆଗେଇ ଥିବାରୁ ସନ୍ତୋଷ ବ୍ଯକ୍ତ କରିଥିଲେ । ତିନିରଥ ର ମହାରଣା ସେବକ ୭୬ ଜଣ , ଭୋଇ ସେବକ ୭୫ଜଣ,ରୂପକାର ସେବକ ୨୧ଜଣ , ଓଝା କମାର ସେବକ ୨୦ଜଣ , କରତୀ ସେବକ ୪ଜଣ ,ତୁମ୍ବ ବିନ୍ଧ କାରିଗର ୨ଜଣ ,ପାହି ମହାରଣା ୨ଜଣ ,ରଥଖଳା ସହାୟକ ୧ ଜଣ ମୋଟ ୨୦୧ ଜଣ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି ।
