ବାରିପଦା ; ମୟୂରଭଞ୍ଜ ଜିଲ୍ଲାର ଏକ ଆବାସିକ ବିଦ୍ୟାଳୟରେ ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଏବଂ ପରବର୍ତ୍ତୀ ସମୟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ଭଳି ଅତ୍ୟନ୍ତ ମର୍ମାହତ ଓ ଉଦବେଗଜନକ ଘଟଣାକୁ ବିଜୁ ଜନତା ଦଳ ତୀବ୍ର ନିନ୍ଦା କରିଛି । ଏହି ଘଟଣା ଆବାସିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରୀମାନଙ୍କ ସୁରକ୍ଷା, ନିରାପତ୍ତା ଓ କଲ୍ୟାଣକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।
ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ବେଟି ବଚାଓ, ବେଟି ପଢ଼ାଓ ସ୍ଲୋଗାନର ବାସ୍ତବତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବାରମ୍ୱାର ହିଂସା, ନିର୍ଯାତନା ଓ ଚରମ ଅବହେଳାର ଘଟଣା ସାମ୍ନାକୁ ଆସୁଥିବା ବେଳେ ଏହି ସ୍ଲୋଗାନର ମୂଲ୍ୟବୋଧ ଅର୍ଥହୀନ ହୋଇପଡ଼ିଛି ବୋଲି ଦଳ ମତବ୍ୟକ୍ତ କରିଛି । ଜଣେ ନାବାଳିକା ଛାତ୍ରୀ ପ୍ରାୟ ୭ ମାସ ଧରି ଗର୍ଭବତୀ ଥିବା ସତ୍ତ୍ୱେ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ଏହା ଜାଣିପାରିଲେ ନାହିଁ, ତାହାକୁ ନେଇ ବିଜେଡି ଗଭୀର ଉଦବେଗ ପ୍ରକାଶ କରିଛି ।
ନାବାଳିକା ଛାତ୍ରୀ ଜଣକ କେଉଁ ପରିସ୍ଥିତିରେ ଗର୍ଭବତୀ ହେଲେ ଏବଂ ଶିଶୁର ଅଧିକାର ଓ ମର୍ଯ୍ୟାଦାର ଏହି ଗୁରୁତର ଉଲ୍ଲଂଘନ ପାଇଁ କେଉଁମାନେ ଦାୟୀ, ତାହା ନିର୍ଦ୍ଧାରଣ କରିବାକୁ ବିଜେଡି ସମଗ୍ର ଘଟଣାର ତୁରନ୍ତ ନ୍ୟାୟିକ ତଦନ୍ତ ଦାବି କରିଛି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା, ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ନାବାଳିକା ଛାତ୍ରୀ ଓ ତାଙ୍କ ନବଜାତ ଶିଶୁକୁ ପର୍ଯ୍ୟାପ୍ତ ଚିକିତ୍ସା ସେବା, ସୁରକ୍ଷା, ପରାମର୍ଶ ଓ ଥଇଥାନ ବ୍ୟବସ୍ଥା ଯୋଗାଇଦେବାକୁ ବିଜେଡି ଦାବି କରିଛି । ଠିକ ସମୟରେ ଛାତ୍ରୀଙ୍କ ଗର୍ଭଧାରଣ ସମ୍ପର୍କରେ ଜାଣିବା ଓ ତାଙ୍କ ସୁରକ୍ଷା ତଥା ସୁସ୍ଥତା ନିଶ୍ଚିତ କରିବାରେ ବିଫଳ ହୋଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉତ୍ତରଦାୟିତ୍ୱ ମଧ୍ୟ ନିର୍ଦ୍ଧାରଣ କରିବାକୁ ଦଳ ଦାବି କରିଛି। ଉକ୍ତ ପ୍ରତିନିଧୀ ଦଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ବେତନଟି ବ୍ଲକ ସଭାପତି ରାଜୀବ ସେନାପତି, ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ, ସବିତା ଦାସ ଓ ଧାନି କିସ୍କୁ, ବ୍ଲକ ଉପାଧ୍ୟକ୍ଷ ଦେବଦତ୍ତ ତିଆଡ଼ି, ଜ୍ୟୋତି ସାମଲ, ସନ୍ତୋଷ ଜେନା, ସୁଶାନ୍ତ କୁମାର ବଳା, ଚିତେଶ୍ୱର ବେହେରା, ମନୀଷ ଗିରି, ଦୀପକ ସାହୁ ଓ ଅନିଲ ସିଂ ପ୍ରମୁଖ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବା ସହ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିନିଧି ଦଳ ଦାବି କରିଥିଲା । ଆସନ୍ତାକାଲି ସୁଦ୍ଧା ସରକାରଙ୍କ ପକ୍ଷରୁ ଠୋସ ଓ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାନଗଲେ ବିଜେଡି,ସରକାରଙ୍କ ବିରୋଧରେ ଗଣତାନ୍ତ୍ରିକ ଆନ୍ଦୋଳନ ଆରମ୍ଭ କରିବ ବୋଲି ଚେତାବନୀ ଦେଇଛି । କେଜିବିଭି ବିଦ୍ୟାଳୟରେ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକିୟା ହେଉଥିବା ବେଳେ ଛାତ୍ରୀର ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ଉକ୍ତ ଘଟଣା କିପରି ଜଣା ପଡିଲା ନାହିଁ। ତାହାକୁ ନେଇ ପ୍ରତିନିଧି ଦଳ ପ୍ରଶ୍ନ କରିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି କାର୍ଯ୍ୟ ପାଇଁ ଆଜି ନିନ୍ଦନୀୟ ଘଟଣା ଘଟିଯାଇଛି। ଉକ୍ତ ଘଟଣାରେ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ହୋଇଛି।
