କାଏରୋ: ଇରାନ ସମର୍ôଥତ ହୁଥି ବିଦ୍ରୋହୀଙ୍କ ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଦକ୍ଷିଣ-ପଶ୍ଚିମ ୟେମେନର ଏକ ବଜାର ଉପରେ ବାୟୁ ଆକ୍ରମଣ ହୋଇଛି, ଯେଉଁଥିରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ହୁଥି ବିଦ୍ରୋହୀ ଏବଂ ସାଉଦି ଆରବ ସମର୍ôଥତ ସରକାରୀ ବାହିନୀ ମଧ୍ୟରେ ପୁନର୍ବାର ସଂଘର୍ଷ ଆରମ୍ଭ ହେବା ପରଠାରୁ ଏହା ଅନ୍ୟତମ ଭୟଙ୍କର ଆକ୍ରମଣ ବୋଲି ବିବେଚନା କରାଯାଉଛି। ହୁଥି ନିୟନ୍ତ୍ରିତ “ଅଲ୍ ମସିରା’ ଟିଭି ଚ୍ୟାନେଲକୁ ସୂଚନା ଦେଇ ହୁଥି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଅନିସ୍ ଅଲସବାହି କହିଛନ୍ତି ଯେ, ତାଇଜ୍ ପ୍ରଦେଶର ଅଲ୍-ୱାଜିୟା ଅଞ୍ଚଳରେ ଥିବା ଏକ ବଜାର ଉପରେ ହୋଇଥିବା ଏହି ବାୟୁ ଆକ୍ରମଣରେ ଆଉ ୧୫ ଜଣ ଆହତ ହୋଇଛନ୍ତି। ସେ କହିଛନ୍ତି ଯେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ଏବଂ ଏଥିପାଇଁ ସେ ସାଉଦି ଆରବ ନେତୃତ୍ୱାଧୀନ ମେଣ୍ଟକୁ ଦାୟୀ କରିଛନ୍ତି। ହୁଥି ସାମରିକ ମୁଖପାତ୍ର ୟାହ୍ୟା ସାରି ଏକ ବିବୃତ୍ତିରେ କହିଛନ୍ତି ଯେ, ସକାଳ ପ୍ରାୟ ୭ଟା ସମୟରେ ଅଲ୍-ହଦାରା ବଜାର ଉପରେ ତିନୋଟି ବାୟୁ ଆକ୍ରମଣ ହୋଇଛି, ଯେଉଁଥିରେ ଅନେକ ସାଧାରଣ ନାଗରିକ ମୃତାହତ ହୋଇଛନ୍ତି। ତେବେ ସେ ଏନେଇ କୌଣସି ପ୍ରମାଣ ଦେଇନାହାନ୍ତି। ସେ ଏହି ଆକ୍ରମଣ ପାଇଁ ସାଉଦି ଆରବକୁ ଦାୟୀ କରିଛନ୍ତି ଏବଂ ଦାବି କରିଛନ୍ତି ଯେ ଯୁଦ୍ଧ ବିମାନଗୁଡ଼ିକ ଖମିସ୍ ମୁଶାଇତ ବାୟୁସେନା ଘାଟିରୁ ଉଡ଼ାଣ ଭରିଥିଲେ ଏବଂ ସକାଳ ପ୍ରାୟ ୮ଟା ସମୟରେ ତାଇଜ୍ ପ୍ରଦେଶରୁ ଫେରିଥିଲେ। ସାଉଦି ଆରବର ସୂଚନା ମନ୍ତ୍ରଣାଳୟ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ଆକ୍ରମଣ ସମୟରେ ବଜାରରେ କେତେ ଲୋକ ଥିଲେ ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ସାଧାରଣତଃ ଶୁକ୍ରବାର ଅପରାହ୍ନରେ ପ୍ରାର୍ଥନା ପରେ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।
