କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡ଼ୁଗାଁରୁ ସୁପାଡ଼ ଯିବା ରାସ୍ତା ନିକଟସ୍ଥ ଏକ ଧାନ ବିଲରୁ ମୁଣ୍ଡବିହୀନ ଅଜଣା ମୃତଦେହ ଠାବ ହୋଇଛି। ମୃତକଙ୍କ ପରିଚୟ ଲଡ଼ୁଗାଁ ଆମ୍ବେଦକର ପଡ଼ାର ରାଜୁ ବାଗ ବୋଲି ଶାରୀରିକ ଗଠନ ରୁ ପରିବାର ଲୋକେ ଚିହ୍ନଟ କରିଛନ୍ତି କ୍ଷ ପରିବାର ପକ୍ଷରୁ ରାଜୁ ବାଗ ଦୁଇଦିନ ହେଲା ନିଖୋଜ ଥିବା ସ୍ୱୀକାର କରିଛନ୍ତି। ତେବେ ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳିଯାଇଛି। ମୃତଦେହଟି ମୁଣ୍ଡବିହୀନ ଥିବାରୁ ହତ୍ୟା ସନ୍ଦେହ କରାଯାଉଛି।ସୂଚନା ଅନୁସାରେ, ଗୁରୁବାର ଅପରାହ୍ନରେ ଲଡ଼ୁଗାଁ ବନ୍ଧ ପଡା ର ଜଣେ ଚାଷୀ ସୁପାଡ଼ ଯିବା ରାସ୍ତା ନିକଟରେ ଥିବା ତାଙ୍କ ନିଜ ଚାଷ ଜମିକୁ ଯାଇଥିବା ସମୟରେ ବିଲ ମଧ୍ୟରେ ଏକ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ଖବର ପ୍ରଚାର ହେବା ପରେ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଶୁକ୍ରବାର ସନ୍ଧାନୀ କୁକୁର ସାଇଣ୍ଟିଫିକ୍ ଟିମ୍ ସହିତ ଧର୍ମଗଡ଼ ଉପଖଣ୍ଡ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କୁ ଜୋରଦାର କରିବା ସହିତ ବିଭିନ୍ନ ସୁରାଗ ସଂଗ୍ରହ କରିଥିବା ଜଣାପଡ଼ିଛି।ମୁଣ୍ଡବିହୀନ ମୃତଦେହ ହୋଇଥିବାରୁ ପରିବାର ଓ ସମ୍ପର୍କୀୟ ମାନେ ଶବ ଉଦ୍ଧାର କରାଯାଇ ପାରିବ ନାହିଁ ବୋଲି କହିଥିଲେ । ପୋଲିସ ପକ୍ଷରୁ ଶବ ଉଦ୍ଧାର କରି ଭବାନୀପାଟଣା ଜିଲ୍ଳା ମୁଖ୍ୟ ଚିକିତ୍ସାଲୟ ଶବ ଗୃହରେ ରଖା ଯାଇଛି।ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଓ ମୃତଦେହ ଏଠାକୁ ଆସିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।ପୋଲିସ ର ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣା ପଡିବ।
