ନୀଳଗିରି: ସନ୍ଧ୍ୟାରେ ନିଖୋଜ, ସକାଳେ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିବା ପରେ ପୁଅକୁ ହତ୍ୟାକରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ବାପା। ସୂଚନା ମୁତାବକ ନୀଳଗିରି ଥାନା ମିତ୍ରପୁର ଅଞ୍ଚଳର ଭରତ ଜେନାଙ୍କ ସାନପୁଅ ଶୁଭମ ଜେନା(୨୮) କୁରୁଡା ନିକଟରେ ଏସ ଏସ ମଟର ନାମରେ ପାର୍ଟନରରେ ଏକ ପୁରୁଣା କାର୍ ସୋରୁମ୍ କରି ବ୍ୟବସାୟ କରି ଆସୁଥିଲେ। ଗତ ୫ତାରିଖ ଗୁରୁବାର ନିଜର ସାଙ୍ଗସହିତ କୌଣସି କାମରେ ନୀଳଗିରି ତହସିଲ ଆସି କାମସାରି ବାଲେଶ୍ୱର ଯାଇଥିଲେ। ବାଲେଶ୍ୱରରୁ ଫେରି ସାଙ୍ଗକୁ ମିତ୍ରପୁରରେ ଛାଡ଼ି କପ୍ତିପଦା ଯାଉଛି, ସନ୍ଧ୍ୟା ୬ଟା ସୁଦ୍ଧା ଫେରିଆସିବି ବୋଲି ମାଆକୁ ଫୋନ କରିଥିଲେ। ୬ଟାରେ ମା ଫୋନ୍ କରିଥିଲା ବେଳେ ଯାଉଛିବୋଲି ଶେଷ କଲ୍ କରିଥିଲେ। ପରେ ସୁଇଚ ଅପ୍ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ପୁଅକୁ ନପାଇ ଶେଷରେ ପରିବାର ଲୋକେ ନୀଳଗିରି ଥାନାରେ ପହଞ୍ଚି ପୁଅର ନିଖୋଜନେଇ ଏକ ଏତଲା ଦେଇଥିଲେ। ଶୁକ୍ରବାର ୧୯ନଂ ରାଜ୍ୟରାଜପଥ ଭାଲୁକାଶୁଣି ନିକଟସ୍ଥ ତିନିକୋଶିଆ ଜଙ୍ଗଲ ଦେବଯାନୀ ଛକ ନିକଟରେ ସ୍ଥାନୀୟଲୋକେ ଏକ ଶାଳଗଛରେ ଧଳାଧୋତି ବେକରେ ଲଗାଇ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ପାଖରେ ଓଡି -୦୧ ଏ ଏ – ୮୭୩୪ ନମ୍ବର ପଲସର ମଟରସାଇକେଲ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।ଖବର ପ୍ରଚାରିତ ହେବାପରେ ମୃତ ଯୁବକଙ୍କ ବାପା ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଚିହ୍ନଟ କରିଥିଲେ। ଖବରପାଇ ବରହମପୁର ପୋଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ଘଟଣାସ୍ଥଳରେ ମୃତକ ଶୁଭମଙ୍କ ବାପା ଅଭିଯୋଗ ପତ୍ର ଲେଖିବାପରେ ଶବକୁ ଗଛରୁ ଓହ୍ଲା ଯାଇଥିଲା। ପରେ ଶୁଭମଙ୍କ ପକେଟରୁ ଏକ ହାତଲେଖା ଚିଠି, ୯ଟି ପାଞ୍ଚଶହ ଟଙ୍କିଆ ନୋଟ୍, ଦୁଇଟି ସାମସଙ୍ଗ ମୋବାଇଲ୍ ଏବଂ ମଟର ସାଇକେଲ ଚାବି ମିଳିଥିଲା। ପରେ ଶବକୁ ବ୍ୟବଚ୍ଛେଦ ପାଇଁ ନୀଳଗିରି ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ତେବେ ଶୁଭମଙ୍କ ବାପା ଅଭିଯୋଗପତ୍ରରେ ରେମୁଣା ଥାନା ଅଞ୍ଚଳର ଦେବାଶିଷ ଦାସ ନାମକ ବ୍ୟକ୍ତିଙ୍କ ହାତଥିବା ଉଲ୍ଲେଖ କରିଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣକ ଶୁଭମ୍ ଙ୍କ ନିକଟରୁ ୨୦ଲକ୍ଷ ଟଙ୍କା ନେଇଥିବା ବେଳେ ଫେରସ୍ତ ନକରିବାରୁ ଗତକାଲି ମିତ୍ରପୁର ନିକଟସ୍ଥ ଚଣ୍ଡିପୁର ଛକନିକଟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଏଫ୍ ଆଇ ଆର୍ ରେ ଶୁଭମ୍ ଙ୍କ ବାପା ଉଲ୍ଲେଖ କରିଛନ୍ତି ଏବଂ ପୁଅର ମୃତ୍ୟୁପାଇଁ ଦେବାଶିଷର ହାତଥିବା କହିଛନ୍ତି। ତେବେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ପ୍ରକୃତ ରହସ୍ୟ ଉନ୍ମୋଚିତ ହେବବୋଲି ତଦନ୍ତକାରୀ ଅଧିକାରୀ ଏଏସଆଇ ଏମ୍.ନାୟକ ସୂଚନା ଦେଇଛି। ଏନେଇ ବରହମପୁର ଥାନାରେ ୧୩୬/୨୬ରେ ମାମଲା ରୁଜୁହୋଇ ତଦନ୍ତ ଜାରି ରହିଛି।
