ନୂଆଦିଲ୍ଲୀ: ଦଳରୁ ବାଦ୍ ପଡ଼ିଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଶୁକ୍ରବାର ଦିନ ଟେଷ୍ଟ କ୍ରିକେଟରୁ ନିଜର ଅବସର ଘୋଷଣା କରିଛନ୍ତି। ୨୦୨୫ ଚାମ୍ପିୟନ୍ସ ଟ୍ରଫି ପରଠାରୁ ଭାରତୀୟ ଦଳରୁ ବାହାରେ ଥିବା ସାମି କହିଛନ୍ତି ଯେ, ସେ “ହ୍ୱାଇଟ୍-ବଲ୍’ (ସୀମିତ ଓଭର) କ୍ରିକେଟ୍ ଖେଳିବା ଜାରି ରଖିବେ। ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ସେ ଲେଖିଛନ୍ତି, “ମୁଁ ଧଳା ଜର୍ସି ଛାଡ଼ୁଛି, କିନ୍ତୁ ଏହା ସହ ଜଡ଼ିତ ସ୍ମୃତିଗୁଡ଼ିକୁ କେବେବି ଭୁଲିବି ନାହିଁ। ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଭାରତର ଟେଷ୍ଟ ଜର୍ସି ପିନ୍ଧିଥିଲି, ସେତେବେଳେ ମୋର କେବଳ ଗୋଟିଏ ସ୍ୱପ୍ନ ଥିଲା –ନିଜ ଦେଶ ପାଇଁ କିଛି କରିବା। ସେବେଠାରୁ ପ୍ରତ୍ୟେକ ୱିକେଟ୍, ପ୍ରତ୍ୟେକ ସଂଘର୍ଷ, ପ୍ରତ୍ୟେକ ଆଘାତ ଏବଂ ପ୍ରତ୍ୟେକ ପ୍ରତ୍ୟାବର୍ତ୍ତନ ମୋତେ କିଛି ନା କିଛି ଶିଖାଇଛି। ମୋ ପାଇଁ ଟେଷ୍ଟ କ୍ରିକେଟ୍ କେବଳ ଏକ ଫର୍ମାଟ୍ ନୁହେଁ, ବରଂ ଏହା ମୋ ଜୀବନର ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅଂଶ। ଆଜି ମୁଁ ଭାରୀ ହୃଦୟ ଏବଂ ଅସଂଖ୍ୟ ସୁନ୍ଦର ସ୍ମୃତି ସହିତ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଉଛି।’ ସେ ଆହୁରି ମଧ୍ୟ କହିଛନ୍ତି, “ମୋର ସମସ୍ତ ସହ ଖେଳାଳି, କୋଚ୍, ପରିବାରବର୍ଗ ଏବଂ ସେହି କୋଟି କୋଟି ଭାରତୀୟଙ୍କୁ ଧନ୍ୟବାଦ, ଯେଉଁମାନେ ଏହି ଯାତ୍ରାରେ ମୋତେ ସମର୍ଥନ କରିଛନ୍ତି ଏବଂ ଉଭୟ ଭଲ ତଥା କଠିନ ସମୟରେ ମୋ ଉପରେ ବିଶ୍ୱାସ ରଖିଛନ୍ତି। ବିସିସିଆଇ ଏବଂ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍କୁ ମଧ୍ୟ ଧନ୍ୟବାଦ, ଯେଉଁମାନେ ମୋ ପ୍ରତିଭା ଉପରେ ଭରସା କଲେ, ମୋତେ ଆଗକୁ ବଢ଼ିବାର ସୁଯୋଗ ଦେଲେ ଏବଂ ମୋ କ୍ରିକେଟ୍ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ। ଆପଣମାନଙ୍କ ସମର୍ଥନ ଏବଂ ବିଶ୍ୱାସ ମୋ ପାଇଁ ସର୍ବଦା ସ୍ୱତନ୍ତ୍ର ହୋଇ ରହିବ। ମୈଦାନରେ ହୁଏତ ମୁଁ ମୋର ଶେଷ ଟେଷ୍ଟ ବଲ୍ ଫିଙ୍ଗି ସାରିଛି, କିନ୍ତୁ ଭାରତ ପାଇଁ ଖେଳିବାର ଗର୍ବ ମୋ ହୃଦୟରେ ସର୍ବଦା ଜୀବନ୍ତ ହୋଇ ରହିବ। ଶୁକ୍ରିୟା, ଟେଷ୍ଟ କ୍ରିକେଟ୍।
