ଡେରାଡୁନ: ଉତ୍ତରାଖଣ୍ଡରେ ହଠାତ୍ ଆସିଥିବା ବରଫ ଝଡ଼ ଏବଂ ବରଫ ଧସିବା ଘଟଣାରେ ଆଠ ଜଣିଆ ଟ୍ରେକିଂ ଦଳ ଫସିଯାଇଛନ୍ତି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଅତ୍ୟଧିକ ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ଏହି ଆଠ ଜଣ ସଦସ୍ୟ ବର୍ତ୍ତମାନ ନିଖୋଜ ଅଛନ୍ତି। ନିଖୋଜ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ପାଞ୍ଚ ଜଣ ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲାର ଅଟନ୍ତି। ଦୁଇ ଜଣ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଆସିଥିବା ବେଳେ ଜଣେ ସ୍ଥାନୀୟ ବ୍ୟକ୍ତି ଉତ୍ତରାଖଣ୍ଡର ଉତ୍ତରକାଶୀର ଅଟନ୍ତି। ଏହି ଦଳ ଅକ୍ଟୋବର ୨୪ ତାରିଖରେ ଉତ୍ତରାଖଣ୍ଡ ଅଭିଯାନ ପାଇଁ ବାହାରିଥିଲେ। ପାହାଡ଼ିଆ ଅଞ୍ଚଳରେ ଖରାପ ପାଗ ସୃଷ୍ଟି ହେବା ପୂର୍ବରୁ, ସେମାନେ ନଭେମ୍ବର ମାସ ଆରମ୍ଭରେ ପଶ୍ଚିମବଙ୍ଗ ଫେରିବାକୁ ଯୋଜନା କରିଥିଲେ। ଅଧିକାରୀମାନେ ବାଙ୍କୁଡ଼ାରୁ ଯାଇଥିବା ଟ୍ରେକରମାନଙ୍କୁ ତପସ ବୌରୀ, ରତନ ଘୋଷ, ରିଣ୍ଟୁ ମଣ୍ଡଳ, ଉଦୟ ଘୋଷ ଏବଂ ମନୋଜ ଖୱାସ ବୋଲି ଚିହ୍ନଟ କରିଛନ୍ତି। ଏମାନଙ୍କ ମଧ୍ୟରୁ ଚାରି ଜଣ ସାଲବାନି ଗ୍ରାମର ବାସିନ୍ଦା ହୋଇଥିବା ବେଳେ ମନୋଜ କେଶରା ଗ୍ରାମର ବାସିନ୍ଦା ଅଟନ୍ତି। ଏହି ଅଭିଯାନ ଦଳରେ ମୋଟ ୧୨ ଜଣ ସଦସ୍ୟ ଥିଲେ, ଯେଉଁଥିରେ ଚାରି ଜଣ ସେର୍ପା ଏବଂ ଜଣେ ପର୍ବତାରୋହଣ ସହାୟକ ଅନ୍ତର୍ଭୁକ୍ତ ଥିଲେ। ଗଙ୍ଗୋତ୍ରୀ ବେସ୍ କ୍ୟାମ୍ପରୁ ବାହାରିବା ପରେ ସେମାନେ କେଦାରତାଲ ଆଡ଼କୁ ନିଜର କଠିନ ଯାତ୍ରା ଆରମ୍ଭ କରିଥିଲେ। ପ୍ରାୟ ୪,୦୦୦ ମିଟର ଉଚ୍ଚତାରେ ଏହି ବିପର୍ଯ୍ୟୟ ଘଟିଥିଲା। ଏକ ଭୟଙ୍କର ବରଫ ଝଡ଼ ଖାଲୁଆ ପାହାଡ଼ିଆ ଅଞ୍ଚଳ ଦେଇ ଗତି କରିବା ସମୟରେ ଅଭିଯାନ ଦଳର ଅଧିକାଂଶ ସଦସ୍ୟ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ସେମାନେ ଅକ୍ଟୋବର ୩୦ ତାରିଖରେ ସୁରକ୍ଷିତ ସ୍ଥାନରେ ପହଞ୍ଚିଲେ ଏବଂ ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ନିଖୋଜ ଥିବା ଦଳ ବିଷୟରେ ଜଣାଇଲେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁବେନ୍ଦୁ ଅଧିକାରୀ ଏହି ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସେ ସୁନିଶ୍ଚିତ କରିଛନ୍ତି ଯେ ରାଜ୍ୟ ଅଧିକାରୀମାନେ ଉତ୍ତରାଖଣ୍ଡ ସରକାରଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟର ସମନ୍ୱୟ ରକ୍ଷା କରୁଛନ୍ତି। ନୂଆଦିଲ୍ଲୀସ୍ଥିତ ପଶ୍ଚିମବଙ୍ଗର “ରେସିଡେଣ୍ଟ କମିଶନର’ଙ୍କ କାର୍ଯ୍ୟାଳୟ ଉଦ୍ଧାରକାରୀ ଦଳ ସହ ସିଧାସଳଖ ଯୋଗାଯୋଗରେ ରହିଛି। ଏଥିସହ, ଜରୁରୀକାଳୀନ ଯୋଗାଯୋଗ ମାଧ୍ୟମଗୁଡ଼ିକ ମାଧ୍ୟମରେ “ଷ୍ଟେଟ୍ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ’ (ଝଊଜୠ) ଠାରୁ ଲଗାତାର ଖବର ନିଆଯାଉଛି। ବାଙ୍କୁଡ଼ାର ଜିଲ୍ଲା ମାଜିଷ୍ଟ୍ରେଟ୍ ଅନିଶ ଦାସଗୁପ୍ତାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ୨୪ ଘଣ୍ଟିଆ ଯୋଗାଯୋଗ ବ୍ୟବସ୍ଥା ଜାରି ରଖିଛନ୍ତି। ପ୍ରଶାସନିକ ଦଳଗୁଡ଼ିକ ବାଙ୍କୁଡ଼ାରେ ଥିବା ପରିବାରବର୍ଗଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛନ୍ତି। ଚିନ୍ତିତ ପରିବାର ସଦସ୍ୟମାନେ ଜଣାଇଛନ୍ତି ଯେ ତିନି ଦିନ ପୂର୍ବରୁ ସେମାନଙ୍କର ପଦଯାତ୍ରୀଙ୍କ ସହ ଫୋନ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ମୋବାଇଲ୍ ଫୋନ୍ଗୁଡ଼ିକ ବନ୍ଦ ରହିଥିବାରୁ ସାଲବାନି ଏବଂ କେଶରା ଉଭୟ ଗ୍ରାମରେ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ଉଚ୍ଚ ପର୍ବତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉତ୍ତରାଖଣ୍ଡ ତୁରନ୍ତ ସମ୍ପୃକ୍ତ ଅଞ୍ଚଳରେ ଏକ ବ୍ୟାପକ ଖୋଜାଖୋଜି ଅଭିଯାନ ଆରମ୍ଭ କରିଛି। ଉଦ୍ଧାରକାରୀ ଦଳଗୁଡ଼ିକ ଦୁର୍ଗମ ପାହାଡ଼ିଆ ଢାଲୁ ଅଞ୍ଚଳ ଉପରେ ନଜର ରଖିବା ପାଇଁ ଉତ୍ତରାଖଣ୍ଡ ସିଭିଲ୍ ଏଭିଏସନ୍ ଡେଭଲପମେଣ୍ଟ ଅଥରିଟିର ହେଲିକପ୍ଟର ବ୍ୟବହାର କରୁଛନ୍ତି। ଉଦ୍ଧାରକାରୀମାନେ ଗତ ଦୁଇ ଦିନ ଧରି ବିଶାଳ ପାହାଡ଼ିଆ ଅଞ୍ଚଳରେ ଖୋଜାଖୋଜି କରିଛନ୍ତି। ତଥାପି, ନିଖୋଜ ଥିବା ବ୍ୟକ୍ତିମାନଙ୍କୁ ଠାବ କରିବା ଦିଗରେ ଏପର୍ଯ୍ୟନ୍ତ କୌଣସି ବଡ଼ ସଫଳତା ମିଳିପାରିନାହିଁ
