ହିନ୍ଦୋଳ: ଲକ୍ଷ୍ମୀପୂଜା ସମୟରେ ତେଲିଭୂଇଁ ଅଞ୍ଚଳରେ ବଡ଼ ଧରଣର ଚୋରିହେବା ଘଟଣାକୁ ନେଇ ଲୋକମାନଙ୍କ ମନରେ ଛନକା ପଶିଛି। ଏପରି ଏକ ଘଟଣା ତେଲିଭୂଇଁରେ ଘଟିଯାଇଛି। ସୂଚନା ଅନୁଯାୟୀ ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ତେଲିଭୂଇଁ ଗ୍ରାମର ପ୍ରମୋଦ ସାହୁ ଏବଂ ତାଙ୍କର ପରିବାରବର୍ଗ ସୋମବାର ସନ୍ଧ୍ୟା ସମୟରେ ଘରେ କେହି ନଥିବାବେଳେ ଅଜଣା ଦୃର୍ବୁତ୍ତ ତାଙ୍କ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି। ୨ ଲକ୍ଷ ୫୦ ହଜାର ନଗଦ ଟଙ୍କା ସହ ୩ ଭରି ସୁନା ଅଜଣା ଦୃର୍ବୁତ୍ତ ଲୁଟି ନେଇଛନ୍ତି। ପ୍ରମୋଦ ଘରକୁ ଫେରିବାପରେ ଦେଖିବାକୁ ପାଇଥିଲେ କି ତାଙ୍କ ଘର ଚୋରି ହୋଇଛି। ତାଲା ଏବଂ ଗଡ୍ରେଜ୍ ଭାଙ୍ଗି ଟଙ୍କା ସହ ସୁନା ଲୁଟି ନେଇଛନ୍ତି। ତେଣୁ ସେ ଏ ସଂପର୍କରେ ରାତିପ୍ରାୟ ୧ଟେ ସମୟରେ ରାସୋଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ରାସୋଳ ପୋଲିସ୍ କେସ୍ ନଂ ୩୧୪/ ୨୬ରେ ଏକ ମାମଲା ରୁଜ୍ଜୁ କରିଥିଲା। ତଦନ୍ତକାରୀ ଅଧିକାରୀଣୀ ଝରଣା ସ୍ୱାଇଁ ମଙ୍ଗଳବାର ଦିନ ମଧ୍ୟାହ୍ନ ସମୟରେ ସନ୍ଧାନୀ କୁକୁର ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିଥିଲେ। କଳାକନା ବୁଲାଇଥିବା ଅଜଣା ଦୃର୍ବୁତ୍ତଙ୍କୁ ଧରିବାକୁ ପୋଲିସ୍ ଜାଲ ବିଛାଇଥିବା ଜଣାପଡ଼ିଛି। ଖୁବଶୀଘ୍ର ଚୋରମାନେ ଧରାପଡିବେ ବୋଲି ତଦନ୍ତକାରୀ ଅଧିକାରୀଣୀ ପ୍ରକାଶ କରିଛନ୍ତି।
