ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ଜୁଲାଇ ୧୬ ତାରିଖ । ଏଥିପାଇଁ ବଡଦାଣ୍ଡ ସ୍ଥିତ ରାଜା ନଅର ସମ୍ମୁଖ ରଥଖଳାରେ ରଥନିର୍ମାଣ ଆଗେଇ ଚାଲିଛି । ଗୁରୁବାର ରଥ ନିର୍ମାଣର ୪୫ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟରେ ଚାରିନାହାକା ଉଠିବା ସହ ତୃତୀୟ ହରିବୋଲ ଭୋଇ ସର୍ଦ୍ଦାରଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବକ ମାନେ ପରମ୍ପରା ଅନୁଯାଇ ତୃତୀୟ ହରିବୋଲ ପକାଇଥିଲେ । ତିନିରଥର ଅଖ ଉପରକୁ ଦଣ୍ଡା ଫ୍ରେମ୍ ଉଠିବା ସହ ଦଣ୍ଡା ଗୁଡିକରେ କଣ୍ଟା ବାଡ଼ିଆ ପୂର୍ବରୁ ଦଣ୍ଡା ଗୋଳିଆ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଅନୁକୂଳ ପୂଜା ସହ ତିନିରଥ ଦଣ୍ଡାରେ କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଥିଲା । ଏଥିସହ ଶେଷ ହୋଇଛି ତିନିରଥ ଦାଣ୍ଡରେ ଆଗ ଆଣି ,ପଛ ଆଣି ଗରଗାରା ପଡ଼ି କଣ୍ଟା ବାଡ଼ିଆ କାର୍ଯ୍ୟ । ଆଜି ପୂର୍ବାହ୍ନରେ ଅନୁକୂଳ ପୂଜା ପୂର୍ବକ ତିନିରଥର ମହାରଣାଙ୍କ ଦ୍ୱାରା ତିନିରଥରରେ ଚାରିନାହାକା ଉଠାଇ ଥିଲେ । ମୁଖ୍ୟ ଓଝା କମାର ସେବକ, ମୁଖ୍ୟ ମହାରଣା ଏବଂ ମୁଖ୍ୟ ଭୋଇ ସେବକଙ୍କ ଉପସ୍ଥିତିରେ ତିନିରଥ ଅଖ ଉପରେ ଦଣ୍ଡା ଫ୍ରେମ୍ ମଜବୁତ୍ ପାଇଁ କଣ୍ଟା ବାଡ଼ିଆ କାର୍ଯ୍ୟ ଓଝା କମାର ସେବକ ମାନେ ଶେଷ କରିଛନ୍ତି। ତାଳଧ୍ୱଜ ରଥ ଦଣ୍ଡା ଗୁଡିକରେ ୭୪ ଗୋଟି, ଦର୍ପଦଳନ ରଥ ଦଣ୍ଡା ଗୁଡିକରେ ୫୮ ଟି ଏବଂ ନନ୍ଦିଘୋଷ ରଥର ଦଣ୍ଡା ଗୁଡିକରେ ୮୮ ଗୋଟି ଘଡିମୁହଁ ଅଗ ପାତେଳି, ଚଉରସ ବା ଦଣ୍ଡା ବିଡିଆ ବା ପୋଖରିଆ କଣ୍ଟା ବାଡ଼ିଆ ଯାଇଅଛି। ଆଜି ପୂର୍ବାହ୍ନରେ ତିନିରଥର ଦଣ୍ଡା ଫ୍ରେମ୍ ରେ କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହେବାପରେ, ଅପରାହ୍ନରେ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ତତ୍ତ୍ୱାବଧାନରେ ଭୋଇ ସେବକ ମାନେ ତିନିରଥର ପାଞ୍ଚ ଦଣ୍ଡା ଉପରକୁ ଦୁଇଟି ଲେଖାଏଁ ଗରଗରା ଉଠିବା ପରେ ତିନିରଥର ମହାରଣା ସେବକ ମାନେ ମାପ ପ୍ରକାରେ ଗରଗରା ପଛ ଭାଗକୁ ଅର୍ଦ୍ଧ ଚନ୍ଦ୍ରକାର କାପ ଖୋଦେଇ ସହ ଅଗର ବିନ୍ଧ କଲା ପରେ ତିନିରଥର ଓଝା କମାର ସେବକ ମାନେ ଗରଗରାରେ କଣ୍ଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ କରିଥିଲେ।ଏଥିସହ ଶେଷ ହୋଇଛି ତିନି ରଥର ୩୨ ଗୋଟି ଗୟଳ ର ଚଉପଟ ନିର୍ମାଣ କାର୍ଯ୍ୟ। ରୂପକାର ସେବକ ମାନେ ତିନିରଥର ବେଦୀ ସିଂହାସନ ମୁହାଁଟି ରେ ଚିତ୍ର ଖୋଦେଇ ସହ ତିନିରଥର ୮ଟି ଲେଖାଏଁ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ପାଇଁ ଚିତ୍ର ଅଙ୍କନ ସହ ଚିତ୍ର ଅଙ୍କନ ଶେଷ ହୋଇଥିବା ନାଟଗୋଡ଼ ଗୁଡିକରେ କନ୍ଦର୍ପ ରୂପ ଖୋଦେଇ ଜାରୀ ରଖିଛନ୍ତି। ପାହି ମହାରଣା ମାନେ ଅଣସର ଏବଂ ରଥଯାତ୍ରା ରେ ସେବା ପୂଜା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ କାର୍ଯ୍ୟ ଜାରୀ ରଖିଛନ୍ତି।ତିନିରଥ ର ମହାରଣା ସେବକ ୭୭ ଜଣ, ଭୋଇ ସେବକ ୭୭ ଜଣ,କରିତି ସେବକ ୪ଜଣ , ରୂପକାର ସେବକ ୨୧ଜଣ ,ଓଝା କମାର ସେବକ ୨୦ଜଣ ,ତୁମ୍ବ ବିନ୍ଧ କାରିଗର ୨ଜଣ ,ପାହି ମହାରଣା ୨ଜଣ,ରଥଖଳା ସହାୟକ ୧ ଜଣ ମୋଟ ୨୦୪ ଜଣ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି ।
