ବାରିପଦା; ମୟୂରଭଞ୍ଜ ଜିଲ୍ଲା, ବଡ଼ସାହି ବ୍ଲକ ଅନ୍ତର୍ଗତ ପାଳପାଟଣା ଗ୍ରାମରେ ପ୍ରସ୍ତାବିତ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ସ୍ଥାନ ଚୟନକୁ ନେଇ ଗ୍ରାମବାସୀ ତଥା ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ମର୍ମରେ ସୋମବାର ପାଳପାଟଣା କ୍ଷୀରଚୋରା ଗୋପୀନାଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି (ଏସଏମସି) ଓ ଗ୍ରାମବାସୀଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯୋଗ ଅନୁଯାୟୀ, ତହସିଲ ପ୍ରଶାସନ ପକ୍ଷରୁ ସ୍କୁଲ ନିକଟରେ ଥିବା ପ୍ରାୟ ୨୫ ଡେସିମିଲ ଜମିକୁ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ଚୟନ କରାଯାଇଛି। ଉକ୍ତ ଜମିରେ ବର୍ତ୍ତମାନ ଧାନ ଚାଷ ହୋଇଥିବା ବେଳେ ସ୍କୁଲ ନିକଟରେ ଅନ୍ୟ କୌଣସି ଅତିରିକ୍ତ ଜମି ନାହିଁ। ଯଦି ଏହି ଜମିରେ ଆଶ୍ରୟସ୍ଥଳୀ ନିର୍ମାଣ ହୁଏ, ତେବେ ଭବିଷ୍ୟତରେ ବିଦ୍ୟାଳୟର ନୂତନ ଶ୍ରେଣୀଗୃହ କିମ୍ବା ଭିତ୍ତିଭୂମି ସମ୍ପ୍ରସାରଣ ପାଇଁ ଜାଗା ରହିବ ନାହିଁ। ଗ୍ରାମରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଅନ୍ୟତ୍ର ପର୍ଯ୍ୟାପ୍ତ ସରକାରୀ ଜମି ଉପଲବ୍ଧ ଥିବା ସତ୍ତ୍ୱେ ପ୍ରଶାସନ ତାହାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି।
ପୂର୍ବରୁ ଗତ ଅକ୍ଟୋବର ୧୫ ଓ ୨୩ ତାରିଖରେ ଏ ନେଇ ବଡ଼ସାହି ତହସିଲଦାରଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା। ମାତ୍ର କୌଣସି ସନ୍ତୋଷଜନକ ପଦକ୍ଷେପ ନନେଇ ଗତ ଅକ୍ଟୋବର ୨୭ ତାରିଖରେ ତହସିଲଦାର, ଗ୍ରାମବାସୀଙ୍କ ଅଜାଣତରେ ସରଜମିନ ତଦନ୍ତ କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ କର୍ଣ୍ଣପାତ କରିନଥିଲେ ବୋଲି ଦର୍ଶାଯାଇଛି। ଆଗାମୀ ନଭେମ୍ବର ୧୧ ତାରିଖ ସୁଦ୍ଧା ବିଦ୍ୟାଳୟ ଜମିକୁ ବାଦ୍ ଦେଇ ଅନ୍ୟ ସ୍ଥାନରେ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଜମି ଚିହ୍ନଟ କରାନଗଲେ, ଆସନ୍ତା ୧୨ ତାରିଖରୁ ବଡ଼ସାହି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଓ ଅଭିଭାବକମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।
