ବିଶାଖାପାଟଣା : ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୋମବାର ରାତିରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ଏକ ତୈଳ ବିଶୋଧନାଗାରରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି, ଯାହା ଫଳରେ ସେଠାରେ ପ୍ରବଳ ନିଆଁ ଲାଗିଯାଇଛି। ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ପରିସରରେ ଏହି ବିସ୍ଫୋରଣ ଘଟିଥିବା ବେଳେ ଏହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ “ଏକ୍ସ’ (ପୂର୍ବରୁ ଟ୍ୱିଟର) ରେ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳରେ ବିଶାଳ ଅଗ୍ନିଶିଖା ଏବଂ ଘନ ଧୂଆଁ ଦେଖିବାକୁ ମିଳୁଛି। ନିଆଁକୁ ଆୟତ୍ତ କରିବା ପାଇଁ ତୁରନ୍ତ ଅନେକ ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା। ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଐଚଉଖ ଏବଂ ଅଗ୍ନିଶମ ବିଭାଗର ଏକାଧିକ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନିର ଖବର ମିଳିନାହିଁ ଏବଂ ଏହି ଧୂଆଁ ବିପଜ୍ଜନକ ହେବାର ସମ୍ଭାବନା ମଧ୍ୟ କମ୍ ରହିଛି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ତୈଳ ବିଶୋଧନାଗାରର ରେଜିଡ୍ୟୁ ଅପଗ୍ରେଡେସନ୍ ଫାସିଲିଟି ନାମକ ସ୍ଥାନରେ ଏହି ଅଗ୍ନିକାଣ୍ଡ ଘଟିଛି। ଘଟଣାକୁ ନିଶ୍ଚିତ କରି ବିଶାଖାପାଟଣା ପୋଲିସ କମିଶନର ଶଙ୍କବ୍ରତ ବାଗ୍ଚୀ କହିଛନ୍ତି, “ବିଶାଖାପାଟଣା ସ୍ଥିତ ଏଚପିସିଏଲ ପରିସରରେ ନିଆଁ ଲାଗିଛି, କିନ୍ତୁ ଏଥିରେ କୌଣସି ଜୀବନହାନି ଘଟିନାହିଁ।’
