ବାରିପଦା: ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ମଙ୍ଗଳବାର ବାରିପଦା-ଉଦଳା ୧୯ ନମ୍ବର ରାଜ୍ୟ ରାଜପଥରରେ ହରତାଳ କରାଯାଇଛି । ଏହି ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡ଼ି ଥିବାରୁ ତୁରନ୍ତ ମରାମତି ଦାବିରେ ମୟୂରଭଞ୍ଜ (ପୂର୍ବ) ଜିଲ୍ଲା କିଷାନ କଂଗ୍ରେସ ବାରମ୍ବାର ଦାବି ପରେ ପ୍ରଶାସନ କର୍ଣ୍ଣପାତ ନକରିବାରୁ ମଙ୍ଗଳବାର ବାରିପଦା- ଉଦଳା ରାସ୍ତାର ପୋଡା ଅସ୍ତିଆ, ସାନକେରକୋ, ବାଲିଯୋଡ଼ା, ଖୁଣ୍ଟା, ଡୁକୁରା ଏବଂ ଉଦଳା ଆଦି ୬ଟି ସ୍ଥାନରେ ୨୪ଘଣ୍ଟିଆ ହରତାଳ ଡାକରା ଦିଆଯାଇଥିଲା । ଏନେଇ ମୟୂରଭଞ୍ଜ (ପୂର୍ବ) ଜିଲ୍ଲା କିଷାନ କଂଗ୍ରେସ ସଭାପତି ଦୀପକ କୁମାର ଦାଶଙ୍କ ନେତୃତ୍ୱରେ କର୍ମୀ ମାନେ ସକାଳ ୬ ଟାରୁ ହରତାଳ ଆରମ୍ଭ କରିଥିଲେ । ସକାଳୁଆ ଅଫିସ ପାଇଁ ଶତାଧିକ ଯାନବାହନ ଅଟକିଥିଲେ । ଏହି ହରତାଳ ବେଳେ ଜରୁରୀ ସେବା ଯୋଗାଉଥିବା ଯାନ ଗୁଡିକ ବ୍ୟତୀତ ଅନ୍ୟ ସମସ୍ତ ଯାନ ଅଟକିଥିଲା । ଅଭିଯୋଗ ଅନୁଯାୟୀ, ବାରିପଦା-ଉଦଳା ରାସ୍ତାଟି ଦୀର୍ଘ ଦିନ ହେବ ମରଣଯନ୍ତା ପାଲଟିଛି । ରାସ୍ତାରେ ବଡ଼ ବଡ଼ ଖାଲଖମା ହେତୁ ଦିନକୁ ଦିନ ଦୁର୍ଘଟଣା ବଢିବା ସହ ଅନେକ ଧନଜୀବନ ହାନି ହେଉଛି । ଏହି ବିପଜ୍ଜନକ ରାସ୍ତାରେ ଯାତାୟାତ କରିବା ପାଇଁ ସାଧାରଣ ଲୋକେ ଭୟ ପ୍ରକାଶ କରୁଛନ୍ତି । ଏ ସମ୍ପର୍କରେ ଗତ ୧୧.୦୫.୨୦୨୬ ତାରିଖରେ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଯାଇଥିଲା । ୧୫ଦିନ ମଧ୍ୟରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା । କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ହେଁ ସମ୍ପୃକ୍ତ କର୍ତ୍ତୃପକ୍ଷ ରାସ୍ତା ମରାମତି ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ଏହି ହରତାଳ କରାଯାଇଥିଲା । ତେବେ ସକାଳ ୮ଟା ୩୦ ବେଳକୁ ବଡ଼ସାହି ପୁଲିସ ସଭାପତି ଶ୍ରୀଦାସଙ୍କ ସମେତ ୩ ଜଣଙ୍କୁ ସାନକେରକୋ ନିକଟରୁ ଗିରଫ କରି ନେବାରୁ ହରତାଳ ବନ୍ଦ ହୋଇଯାଇଥିଲା । ଗିରଫ ତିନିଜଣଙ୍କୁ ସନ୍ଧ୍ୟାରେ ଛାଡି ଦିଆଯାଇଛି । ଅଟକ ସମୟରେ ପୁଲିସ ଦୁର୍ବ୍ୟବହାର କରିଥିବା ନେଇ ଶ୍ରୀ ଦାଶ ଗମ୍ଭୀର ଅଭିଯୋଗ ଆଣିଛନ୍ତି ।
