ବାଳକାଟି: ବାଳକାଟି ଫାଣ୍ଡି ପୁରୁଣାଜଗନ୍ନାଥ ସଡ଼କ ସୁଦର୍ଶନ ଦାରୁସ୍ଥଳୀ ନିକଟରେ ଆଜି ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଏହି ଫାଣ୍ଡି ଅଧିନ ରଥିଜେମା ତିରିଶିଘର ସାହିର ନିଶିକାନ୍ତ ସାହୁ । ନିଶିକାନ୍ତ ଘରର ଗୋଟିଏ ପୁଅ ହୋଇଥିବାରୁ ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।ଖବରନେବାରେ ଜଣାପଡିଛି ନିଶିକାନ୍ତ ପ୍ରତିଦିନ ଭଳି ଆଜି ନିଜ ମୋଟର ସାଇକଲ ଯୋଗେ ସାଙ୍ଗ ସହ ଭୁବନେଶ୍ୱର ଯାଉଥିଲେ ।ପୂର୍ବାହ୍ନ ସାଢେ ୧୧ ଟାରେ ଉପରୋକ୍ତ ସ୍ଥାନରେ ଥିବା ହମ୍ପସରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ବ୍ୟାରିକେଡ଼ରେ ଧକ୍କା ହୋଇଥିଲେ ।ନିଶିକାନ୍ତଙ୍କ ମୁଣ୍ଡର ପଛପାର୍ଶ୍ୱ ମାଡ଼ ହୋଇଯାଇଥିଲା ।ଫଳରେ ଗୁରୁତର ଅବସ୍ଥାରେ ରାସ୍ତାରେ ଛିଟିକି ପଡିଥିଲେ ।ସ୍ଥାନୀୟ ଲୋକେ ତାଙ୍କୁ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ନିଶିକାନ୍ତଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ବାଳକାଟି ଫାଣ୍ଡି ପୁଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ୠଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ପରେ ପରିବାର ଲୋକେ ନିଶିକାନ୍ତଙ୍କ ଆଖିକୁ ଦାନ କରିଥିଲେ ।
