ଭୁବନେଶ୍ୱର: ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ସୋମବାର ସନ୍ଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍େସସ୍ (ଏମ୍ସ)ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ମସ୍ତିଷ୍କ ସମ୍ବନ୍ଧୀୟ ଏକ ରୋଗର ଚିକିତ୍ସାଧୀନ ଥିବା ଅବସ୍ଥାରେ, ସୋମବାର ରାତି ୯ଟା ୧୫ ମିନିଟ୍ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ, ଡାକ୍ତର ମହାପାତ୍ର ଅକ୍ଟୋବର ୨ ତାରିଖରୁ ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ପ୍ରଥମେ ପ୍ରବଳ ମୁଣ୍ଡବିନ୍ଧା ଅଭିଯୋଗ ନେଇ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ, ଉନ୍ନତ ଚିକିତ୍ସା ପାଇଁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କୁ ନୂଆଦିଲ୍ଲୀ ନେଇଯାଇଥିଲେ। ୨୦୧୭ ମସିହାରେ ନୂଆଦିଲ୍ଲୀ ଏମ୍ସରେ ଓଡ଼ିଶାର ମୁଣ୍ଡ ଯୋଡ଼ି ହୋଇ ଜନ୍ମ ହୋଇଥିବା ଯମଜ ଶିଶୁ “ଜଗା-ବଳିଆ’ଙ୍କୁ ଅଲଗା କରିବା ପାଇଁ କରାଯାଇଥିବା ଐତିହାସିକ ଅସ୍ତ୍ରୋପଚାରର ନେତୃତ୍ୱ ନେଇ ଡାକ୍ତର ମହାପାତ୍ର ବେଶ୍ ପରିଚିତ ଥିଲେ। ଏହି ଜଟିଳ ଅସ୍ତ୍ରୋପଚାର ତାଙ୍କୁ ଜାତୀୟ ସ୍ତରରେ ସ୍ୱୀକୃତି ଦେଇଥିଲା ଏବଂ ଦେଶର ଚିକିତ୍ସା ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇ ରହିଛି। ସ୍ନାୟୁଶଲ୍ୟ ଚିକିତ୍ସା ଏବଂ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ, ଭାରତ ସରକାର ତାଙ୍କୁ ୨୦୨୪ ମସିହାରେ “ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିଲେ। ୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ଓଡ଼ିଶାର ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଡକ୍ଟର ମହାପାତ୍ର ଏକ ଗ୍ରାମୀଣ ପରିବେଶରେ ବଢ଼ିଥିଲେ ଏବଂ ପିଲାଦିନରୁ ହିଁ ଚିକିତ୍ସା ବିଜ୍ଞାନ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ୧୯୭୦ ମସିହାରେ ସେ ବ୍ରହ୍ମପୁର ସ୍ଥିତ ଏମ.କେ.ସି.ଜି. ମେଡିକାଲ କଲେଜରେ ନାମ ଲେଖାଇଥିଲେ ଏବଂ ୧୯୭୫ ମସିହାରେ ଏମ.ବି.ବି.ଏସ୍. ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ନୂଆଦିଲ୍ଲୀ ସ୍ଥିତ ଏମ୍ସରୁ ସର୍ଜରୀରେ ଏମ୍.ଏସ୍. ଏବଂ ୧୯୮୨ ମସିହାରେ ନିଉରୋସର୍ଜରୀରେ ଏମ୍.ସି.ଏଚ୍.ଡିଗ୍ରୀ ହାସଲ କରିଥିଲେ। ଡକ୍ଟର ମହାପାତ୍ର ୧୯୮୩ ମସିହାରେ ନୂଆଦିଲ୍ଲୀ ସ୍ଥିତ ଏମ୍ସର ନ୍ୟୁରୋସର୍ଜରୀ ବିଭାଗରୁ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଏହି ଅନୁଷ୍ଠାନ ସହିତ ୩୪ ବର୍ଷର ସମ୍ପର୍କ ମଧ୍ୟରେ ସେ ପ୍ରଫେସର, ବିଭାଗୀୟ ମୁଖ୍ୟ ଏବଂ ଡିନ୍ (ଅନୁସନ୍ଧାନ) ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ। ସେ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍େସସ୍ର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୨ ମସିହାରେ, ସେ ଭୁବନେଶ୍ୱର ସ୍ଥିତ ଏମ୍ସର ପ୍ରଥମ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଅନୁଷ୍ଠାନର ଶିକ୍ଷାଗତ, ଗବେଷଣା ଏବଂ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ କୁଳପତିଭାବରେ ଯୋଗ ଦେଇଥିଲେ ଏବଂ ନିଜର କାର୍ଯ୍ୟକାଳ ସମାପ୍ତ ହେବା ପରେ ମଧ୍ୟ ସେଠାରେ ପ୍ରମୁଖ ପରାମର୍ଶଦାତା (ସ୍ୱାସ୍ଥ୍ୟ ବିଜ୍ଞାନ) ଭାବରେ କାର୍ଯ୍ୟ ଜାରି ରଖିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
