ନୂଆଦିଲ୍ଲୀ: ବିମାନ ଭଡ଼ାରେ ପ୍ରାୟ ୭୦୦ ପ୍ରତିଶତ ବୃଦ୍ଧି ହୋଇଥିବା ନେଇ ଦାଖଲ ହୋଇଥିବା ଏକ ଆବେଦନର ତୁରନ୍ତ ଶୁଣାଣି ପାଇଁ ଅନୁରୋଧକୁ ସୁପ୍ରିମକୋର୍ଟ ସୋମବାର ଦିନ ଖାରଜ କରିଦେଇଛନ୍ତି ଏବଂ ଆବେଦନକାରୀଙ୍କୁ ବିମାନ ଯାତ୍ରା ନ କରିବାକୁ କହିଛନ୍ତି। ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଅପରେଶ କୁମାର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ମୁଖରେ ଜଣେ ଆଇନଜୀବୀ ଏହି ମାମଲାକୁ ତୁରନ୍ତ ଶୁଣାଣି ପାଇଁ ଉପସ୍ଥାପନ କରିଥିଲେ। ଆଇନଜୀବୀ କହିଲେ, ବିମାନ ଭଡ଼ା ୭୦୦ ପ୍ରତିଶତ ବୃଦ୍ଧି ପାଇଛି। ଏହାର ଉତ୍ତରରେ ଖଣ୍ଡପୀଠ କହିଲେ, ବିମାନ ଯାତ୍ରା କରନ୍ତୁ ନାହିଁ। ଏହା ପରେ ଆଇନଜୀବୀ ଯୁକ୍ତି ଦର୍ଶାଇଲେ ଯେ ବିମାନ ଯାତ୍ରା ଏକ ଅତ୍ୟାବଶ୍ୟକ ସେବା ଏବଂ ଏହା ସମ୍ବିଧାନର ୧୪ ନମ୍ବର ଅନୁଚ୍ଛେଦର ଉଲ୍ଲଂଘନ ଅଟେ। ସୂଚନାଯୋଗ୍ୟ ଯେ, ସମ୍ବିଧାନର ୧୪ ନମ୍ବର ଅନୁଚ୍ଛେଦ ଆଇନ ଆଗରେ ସମାନତା ସହ ଜଡ଼ିତ। ସୁପ୍ରିମକୋର୍ଟ ପୂର୍ବରୁ ସାମାଜିକ କର୍ମୀ ଏସ୍. ଲକ୍ଷ୍ମୀନାରାୟଣନଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପୃଥକ ଆବେଦନର ଶୁଣାଣି କରୁଛନ୍ତି। ଏହି ଆବେଦନରେ ସେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସ୍ୱଚ୍ଛତା ଏବଂ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ସୁଦୃଢ଼ ଓ ସ୍ୱାଧୀନ ନିୟାମକ ସଂସ୍ଥା ଗଠନ କରିବାକୁ ଦାବି କରିଛନ୍ତି। ଏହା ସହିତ, ଭାରତରେ ଘରୋଇ ବିମାନ କମ୍ପାନୀଗୁଡ଼ିକ ଦ୍ୱାରା ବିମାନ ଭଡ଼ା ଏବଂ ଅନ୍ୟାନ୍ୟ ଶୁଳ୍କରେ କରାଯାଉଥିବା ଅନିଶ୍ଚିତ ବା ଅସ୍ଥିର ବୃଦ୍ଧି’କୁ ନିୟନ୍ତ୍ରଣ କରିବା ପାଇଁ ନିୟାମକ ନିର୍ଦ୍ଦେଶାବଳୀ ଜାରି କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ଅକ୍ଟୋବର ୧୬ ତାରିଖରେ ଏହି ଆବେଦନ ଉପରେ ଶୁଣାଣି ସମୟରେ, କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଲେ ଯେ ଭାରତର ବିମାନ ଚଳାଚଳ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଅଣାଯାଇଥିବା “୨୦୨୪ ଆଇନ’ ଅଧୀନରେ ନିୟମାବଳୀ ପାଇଁ ପ୍ରଶାସନିକ ଅନୁମୋଦନ ମିଳିସାରିଛି। ଏହି ନିୟମାବଳୀ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ସର୍ବୋଚ୍ଚ ନ୍ୟାୟାଳୟ ସଲିସିଟର ଜେନେରାଲ ତୁଷାର ମେହେଟ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଭାରତୀୟ ବାୟୁଯାନ ଅଧିନିୟମ, ୨୦୨୪’ ଅଧୀନରେ ପ୍ରସ୍ତୁତ ଏହି ନିୟମାବଳୀକୁ ପରବର୍ତ୍ତୀ ଶୁଣାଣି ତାରିଖ ଅର୍ଥାତ୍ ନଭେମ୍ବର ୧୬ ତାରିଖରେ କୋର୍ଟରେ ଉପସ୍ଥାପନ କରାଯାଉ। ଅଗଷ୍ଟ ୧୭ ତାରିଖରେ କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇଥିଲେ ଯେ, ଭାରତର ବିମାନ ଚଳାଚଳ କ୍ଷେତ୍ରକୁ ଆଧୁନିକୀକରଣ କରିବା ଲକ୍ଷ୍ୟରେ ଭାରତୀୟ ବାୟୁଯାନ ଅଧିନିୟମ ଅଧୀନରେ ନିୟମ ପ୍ରସ୍ତୁତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଗତ ବର୍ଷ ନଭେମ୍ବର ମାସରେ, ସର୍ବୋଚ୍ଚ ନ୍ୟାୟାଳୟ ଲକ୍ଷ୍ମୀନାରାୟଣନଙ୍କ ଆବେଦନ ଉପରେ କେନ୍ଦ୍ର ସରକାର ଏବଂ ଅନ୍ୟ ପକ୍ଷମାନଙ୍କଠାରୁ ଜବାବ ଲୋଡ଼ିଥିଲେ। ଜାନୁଆରୀ ମାସରେ ଏହି ମାମଲାର ଶୁଣାଣି କରିବା ସମୟରେ, ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ବିମାନ ଭଡ଼ାରେ ଦେଖାଯାଉଥିବା ଅନିଶ୍ଚିତ ପରିବର୍ତ୍ତନ ଉପରେ ସେମାନେ ହସ୍ତକ୍ଷେପ କରିବେ। ବିଶେଷକରି ପର୍ବପର୍ବାଣି ସମୟରେ ବିମାନ ଭଡ଼ାରେ ହେଉଥିବା ଅତ୍ୟଧିକ ବୃଦ୍ଧିକୁ ନେଇ କୋର୍ଟ ଚିନ୍ତା ବ୍ୟକ୍ତ କରିଥିଲେ।
