ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଯୋଗ୍ୟ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଦରମା ସମାନ ବୋନସ୍ ପ୍ରଦାନକୁ ମଞ୍ଜୁରୀ ଦେଇଛି। ଏହି ନିଷ୍ପତ୍ତି ଦ୍ୱାରା ୧୧,୪୦,୭୭୦ ଜଣ କର୍ମଚାରୀ ଉପକୃତ ହେବେ ଏବଂ ଏଥିପାଇଁ ମୋଟ ୨,୦୦୯.୬୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହି ବୋନସ୍ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ। ଜଣେ ଯୋଗ୍ୟ କର୍ମଚାରୀ ଏହି ୭୮ ଦିନିଆ ଅବଧି ପାଇଁ ସର୍ବାଧିକ ୧୭,୯୫୧ ଟଙ୍କା ବୋନସ୍ ପାଇପାରିବେ। ବୋନସ୍ ପାଇବାକୁ ଥିବା କର୍ମଚାରୀ ମଞ୍ଜୁରୀପ୍ରାପ୍ତ ଏହି ବୋନସ୍ ରେଳବାଇର ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ମିଳିବ, ଯେଉଁଥିରେ ଟ୍ରାକ୍ ମେଣ୍ଟେନର, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର ବା ଗାର୍ଡ, ଷ୍ଟେସନ୍ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲ୍ପର, ପଏଣ୍ଟସ୍ମ୍ୟାନ୍, ମିନିଷ୍ଟରିଆଲ୍ ଷ୍ଟାଫ୍ ଏବଂ ଅନ୍ୟାନ୍ୟ ଗ୍ରୁପ୍ ‘ସି’ କର୍ମଚାରୀ ଅନ୍ତର୍ଭୁକ୍ତ। ପାରମ୍ପାରିକ ଭାବେ ଦୁର୍ଗାପୂଜା ଏବଂ ଦଶହରା ଛୁଟି ସମୟ ପୂର୍ବରୁ ଏହି ମଞ୍ଜୁରୀ ପ୍ରଦାନ କରାଯାଇଥାଏ, ଯେତେବେଳେ ରେଳ କର୍ମଚାରୀମାନେ ବାର୍ଷିକ ବୋନସ୍ ନିଷ୍ପତ୍ତିକୁ ଅପେକ୍ଷା କରିଥାନ୍ତି। କ୍ୟାବିନେଟ୍ ଏହି ଅର୍ଥରାଶି ପ୍ରଦାନକୁ ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତାର ସ୍ୱୀକୃତି ବୋଲି ବର୍ଣ୍ଣନା କରିଛି। ଏହା କର୍ମଚାରୀମାନଙ୍କୁ ରେଳବାଇର କାର୍ଯ୍ୟଦକ୍ଷତା ବଜାୟ ରଖିବା ଏବଂ ଏଥିରେ ଆହୁରି ଉନ୍ନତି ଆଣିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ମଧ୍ୟ ପ୍ରଦାନ କରାଯାଉଛି। ୨୦୨୫-୨୬ ବର୍ଷ ମଧ୍ୟରେ, ରେଳବାଇ ରେକର୍ଡ ସ୍ତରର ୧,୬୭୦ ନିୟୁତ ଟନ୍ ମାଲ୍ ପରିବହନ କରିଥିଲା ଏବଂ ପ୍ରାୟ ୭.୪୧ ବିଲିୟନ ଯାତ୍ରୀଙ୍କୁ ସେବା ଯୋଗାଇଥିଲା।
